ଆମେରିକାରୁ ଫେରିଲେ ୧୦୪ ଅବୈଧ ପ୍ରବାସୀ ଭାରତୀୟ

ଅବୈଧ ପ୍ରବାସୀଙ୍କୁ ସ୍ୱଦେଶ ଫେରାଇବା ପାଇଁ ଟାଇଟ୍ ସିକ୍ୟୁରିଟି

ସାମରିକ ବିମାନ ଯୋଗେ ଭାରତ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୦୫/୦୨: ଆମେରିକାରେ ଅବୈଧ ବିଦେଶୀଙ୍କ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଟକଣା ଲଗାଇବା ପରେ ପ୍ରଥମ ଥର ଭାବେ ୧୦୪ ଜଣ ଭାରତୀୟଙ୍କୁ ପ୍ରତ୍ୟାର୍ପଣ କରିଛି ଆମେରିକା। ଟେକ୍ସାସର ସାନ୍ ଆଣ୍ଟୋନିଓରୁ ଉଡ଼ାଣ ଭରିଥିବା ସି-୧୭ ଆମେରିକୀୟ ସାମରିକ ବିମାନ ଯୋଗେ ଅପରାହ୍ନ ୧ଟା ୫୯ରେ ଶ୍ରୀ ଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବାସୀ ଭାରତୀୟ ପହଞ୍ଚିଛନ୍ତି।

ଏଥିରେ ୭୯ ଜଣ ପୁରୁଷ ଓ ୨୫ ଜଣ ମହିଳାଙ୍କ ସହ ୧୩ ଜଣ ଶିଶୁ ମଧ୍ୟ ରହିଛନ୍ତି। ଏ ନେଇ ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦରରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବିମାନ ବନ୍ଦରରେ ଆମେରିକା ଦୂତାବାସର ଜଣେ ପ୍ରତିନିଧି ମଧ୍ୟ ଥିଲେ।

୧୦୪ ଜଣ ବେଆଇନ ପ୍ରବାସୀଙ୍କ ମଧ୍ୟରୁ ୩୩ ଜଣ ହରିୟାଣା ଓ ଗୁଜରାଟର, ପଞ୍ଜାବରୁ ୩୦, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୩ ଜଣ ଲେଖାଏଁ ଏବଂ ୨ ଜଣ ଚଣ୍ଡିଗଡ଼ରୁ ଆସିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆମେରିକା-ମେକ୍ସିକୋ ସୀମାରେ ଅଧିକାଂଶ ବ୍ୟକ୍ତି ଧରାପଡ଼ିଛନ୍ତି। ସେମାନେ ଭାରତ ଛାଡିବା ପାଇଁ ଆଇନର ରାସ୍ତା ନ ନେଇ ବେଆଇନ “ଡଙ୍କି” ରୁଟ୍ ଦେଇ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

ସୂଚନାନୁସାରେ, ଭାରତରୁ ପ୍ରାୟ ୭,୨୫,୦୦୦ ବେଆଇନ ପ୍ରବାସୀ ଆମେରିକାରେ ବସବାସ କରନ୍ତି। ବର୍ତ୍ତମାନ ସୁଦ୍ଧା ସାମରିକ ବିମାନ ଗୁଆଟେମାଲା, ପେରୁ ଏବଂ ହଣ୍ଡୁରାସକୁ ପ୍ରବାସୀଙ୍କୁ ଧରି ଉଡ଼ାଣ ଭରିଛି।