ମହାକୁମ୍ଭରେ ବୁଡ଼ ପକାଇଲେ ମହାମହିମ ରାଷ୍ଟ୍ରପତି
ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ।
ବିଦେଶାଗତ ପକ୍ଷୀଙ୍କୁ ଖାଇବାକୁ ଦେଲେ
ନୂଆଦିଲ୍ଲୀ, ୧୦/୦୨: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ସୋମବାର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପ୍ରୟାଗରାଜରେ ପହଞ୍ଚିବା ପରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।
ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପୂର୍ବରୁ ରାଷ୍ଟ୍ରପତି ମୁର୍ମୁ ସେହି ସ୍ଥାନରେ ବିଦେଶାଗତ ପକ୍ଷୀମାନଙ୍କୁ ଖାଇବାକୁ ଦେଇଥିଲେ।
ରାଷ୍ଟ୍ରପତି ଭବନ ଅନୁଯାୟୀ, ଦିନିକିଆ ପ୍ରୟାଗରାଜ ଗସ୍ତ ସମୟରେ ରାଷ୍ଟ୍ରପତି ଅକ୍ଷୟବଟ ଏବଂ ହନୁମାନ ମନ୍ଦିରରେ ପୂଜା ଓ ଦର୍ଶନ କରିବା ସହ ଡିଜିଟାଲ ମହାକୁମ୍ଭ କେନ୍ଦ୍ର ପରିଦର୍ଶନ କରିବେ।
ସୂଚନାଯୋଗ୍ୟ, ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ତାଙ୍କ ପରିବାର ସହ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ଧାମୀଙ୍କ ସହ ତାଙ୍କ ମାଆ, ପତ୍ନୀ ଓ ପୁଅ ମଧ୍ୟ ବୁଡ଼ ପକାଇଛନ୍ତି।
ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମାଘ ଅଷ୍ଟମୀ ଓ ଭୀଷ୍ମ ଅଷ୍ଟମୀ ଅବସରରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ସେ ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା କରିବା ସହ ରୁଦ୍ରାକ୍ଷ ମାଳା ଧରି ଜପ କରିଥିଲେ।