ଦର୍ଶନ ଆଇନାରେ ଇତିହାସର ପୃଷ୍ଠା

ନଜର ପକାନ୍ତୁ ଆଜି ଓ ଅତୀତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ

ଆଜିର ତାରିଖ ୧୪ ଫେବ୍ରୁଆରୀ ୨୦୨୫:

*ଆନ୍ତର୍ଜାତୀୟ ପୁସ୍ତକ ପ୍ରଦାନ ଦିବସ: ପଢ଼ିବା ଓ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ପିଲାମାନଙ୍କୁ ପୁସ୍ତକ ପ୍ରଦାନ ପାଇଁ ଏହି ଦିବସ ପାଳନ କରାଯାଏ। ଲୋକମାନେ ପାଠାଗାର, ବିଦ୍ୟାଳୟ ଏବଂ ଅଭାବୀ ପିଲାଙ୍କୁ ବହି ଦାନ କରି ଅଂଶଗ୍ରହଣ କରିବା ପାଇଁ ଏହି ଦିବସ ପ୍ରୋତ୍ସାହିତ କରିଥାଏ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-

୧. ଜାହିର ଉଦ-ଦିନ ମହମ୍ମଦ ବାବର (୧୪ ଫେବୃଆରୀ ୧୪୮୩ – ୨୬ ଡିସେମ୍ବର ୧୫୩୦) ଜଣେ ମୋଗଲ ଶାସକ ଥିଲେ। ସେ ଭାରତର ମୋଗଲ ବଂଶର ପ୍ରତିଷ୍ଠାତା ଥିଲେ। ବାବର ତିମୁର ଲାଙ୍ଗଙ୍କ ନାତି ଥିଲେ ଏବଂ ବିଶ୍ୱାସ କରୁଥିଲେ ଯେ ଚେଙ୍ଗିସ ଖାଁ ତାଙ୍କ ବଂଶର ପୂର୍ବଜ ଥିଲେ। ୧୫୨୬ ଖ୍ରୀଷ୍ଟାବ୍ଦରେ ପ୍ରଥମ ପାନିପତ ଯୁଦ୍ଧରେ ଦିଲ୍ଲୀ ସୁଲତାନେଟ (ଲୋଦି ବଂଶ)ର ଶେଷ ବଂଶର ସୁଲତାନ ଇବ୍ରାହିମ ଲୋଦିଙ୍କ ପରାଜୟ ପରେ ବାବରଙ୍କ ଦ୍ୱାରା ଭାରତରେ ମୋଗଲ ବଂଶ ପ୍ରତିଷ୍ଠା ହୋଇଥିଲା।

୨. ମୋହନ ଧାରିଆ (୧୪ ଫେବୃଆରୀ ୧୯୨୫ – ୧୪ ଅକ୍ଟୋବର ୨୦୧୩), ଭାରତର ଜଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ଓକିଲ ଏବଂ ସମାଜସେବୀ ଥିଲେ। ୧୯୭୧ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳରେ ସେ ରାଷ୍ଟ୍ରମନ୍ତ୍ରୀ ଥିଲେ କିନ୍ତୁ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ଭାରତୀୟ ଲୋକଦଳରେ ଯୋଗ ଦେଇଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ କାର୍ଯ୍ୟକାଳ ସମୟରେ ୧୯୭୭ରେ ବାଣିଜ୍ୟ ମନ୍ତ୍ରୀ ଥିଲେ। ସେ ଯୋଜନା ଆୟୋଗର ଉପାଧ୍ୟକ୍ଷ ମଧ୍ୟ ଥିଲେ।

୩. ମଧୁବାଲା (୧୪ ଫେବୃଆରୀ ୧୯୩୩ – ୨୩ ଫେବୃଆରୀ ୧୯୬୯) ଜଣେ ବଲିଉଡ୍ ଅଭିନେତ୍ରୀ ଥିଲେ। ତାଙ୍କ ଦ୍ୱାରା ଅଭିନୀତ ‘ମୋଗଲ-ଏ-ଆଜମ’, ‘ହାୱଡ଼ା ବ୍ରିଜ୍’, ‘କଳା ପାଣି’ ଏବଂ ‘ଚଲତି କା ନାମ ଗାଡି’ ସିନେମା ଏବେ ବି ସିନେପ୍ରେମୀଙ୍କ ହୃଦୟରେ ରହିଛି।

୪. ସୁଷମା ସ୍ୱରାଜ (୧୪ ଫେବୃଆରୀ ୧୯୫୨ – ୬ ଅଗଷ୍ଟ ୨୦୧୯), ଭାରତ ସରକାରଙ୍କ କେନ୍ଦ୍ର କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ। ସେ ୨୬ ମେ ୨୦୧୪ରୁ ୨୪ ମେ ୨୦୧୯ ପର୍ଯ୍ୟନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ। ସୁଷମା ସ୍ୱରାଜ ଦେଶର ରାଜଧାନୀ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଭିଟି କ୍ରିଷ୍ଣାମାଚାରୀ (୮ ଫେବୃଆରୀ ୧୮୮୧ – ୧୪ ଫେବୃଆରୀ ୧୯୬୪) ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ଥିଲେ। ସେ ୧୯୪୬ରୁ ୧୯୪୯ ପର୍ଯ୍ୟନ୍ତ ତତ୍କାଳୀନ ଜୟପୁର ରାଜ୍ୟର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୬୧ରୁ ୧୯୬୪ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ।

୨. ବିଦ୍ୟାନିବାସ ମିଶ୍ର (୨୮ ଜାନୁଆରୀ ୧୯୨୬ – ୧୪ ଫେବୃଆରୀ ୨୦୦୫) ଜଣେ ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ, ସଫଳ ସମ୍ପାଦକ, ସଂସ୍କୃତ ପଣ୍ଡିତ ଏବଂ ଭାଷାବିତ୍ ଥିଲେ। ହିନ୍ଦୀ ସାହିତ୍ୟ ଓ ସଂସ୍କୃତ ଭାଷାରେ ତାଙ୍କର ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୫୫୬ – ପଞ୍ଜାବର ଗୁରୁଦାସପୁର ଜିଲ୍ଲାର କଲାନୌରଠାରେ ୧୩ ବର୍ଷ ବୟସରେ ଆକବର ତାଙ୍କ ପିତା ହୁମାୟୁନଙ୍କ ମୃତ୍ୟୁ ପରେ ସମ୍ରାଟ ହୋଇଥିଲେ।

୧୬୨୮ – ଶାହାଜାହାଁ ଆଗ୍ରା ସିଂହାସନର ଅଧିକାରୀ ହୋଇଥିଲେ।

୧୬୬୩ – କାନାଡା ଫ୍ରାନ୍ସର ଏକ ପ୍ରଦେଶ ରେ ପରିଣତ ହେଲା।

୧୮୮୧ – କୋଲକାତାରେ ଭାରତର ପ୍ରଥମ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା।

୧୯୧୨ – ଲଣ୍ଡନ ନିକଟସ୍ଥ ଗ୍ରୋଟନରେ ପ୍ରଥମ ଡିଜେଲ ବୁଡ଼ାଜାହାଜ ନିର୍ମାଣ କରାଯାଇଥିଲା।

୧୯୨୦ – ଚିକାଗୋରେ ମହିଳା ଭୋଟର ଲିଗ୍ ସ୍ଥାପିତ ହୋଇଥିଲା।

୧୯୪୫ – ପେରୁ, ଚିଲି, ପାରାଗୁଏ ଏବଂ ଇକ୍ୱେଡର ମିଳିତ ଜାତିସଂଘର ସଦସ୍ୟ ହେଲେ।

୧୯୭୨ – ଚୀନ ସହ ବାଣିଜ୍ୟ କଟକଣା କୋହଳ କରିବାକୁ ଘୋଷଣା କରିଥିଲା ଆମେରିକା।

୧୯୯୦ – ବାଙ୍ଗାଲୋରରେ ଏକ ବିମାନ ଦୁର୍ଘଟଣାରେ ଇଣ୍ଡିଆନ ଏୟାରଲାଇନ୍ସ ୬୦୫ରେ ଥିବା ୯୨ ଜଣଙ୍କର ମୃତ୍ୟୁ ହୋଇଥିଲା।

୧୯୯୯ – ଏହି ଦିନ ଇମ୍ଫାଲରେ ପଞ୍ଚମ ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା।

୨୦୦୧ – ଏଲ୍ ସାଲଭାଡୋରରେ ଭୟଙ୍କର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୨୨୫ ଜଣଙ୍କ ମୃତ୍ୟୁ ହୋଇଥିଲା।

୨୦୦୪ – ଜର୍ମାନ ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ର ‘ହେଡ୍ ଅନ୍’ ଗୋଲ୍ଡେନ୍ ବିୟର ପୁରସ୍କାର ଜିତିଥିଲା।

୨୦୦୫ – ବିଶ୍ୱବ୍ୟାପୀ ଭିଡିଓ ସେୟାରିଂ ୱେବସାଇଟ୍ ୟୁଟ୍ୟୁବ ଆରମ୍ଭ ହୋଇଥିଲା। YouTube.com ଡୋମେନ୍ ଏହି ଦିନଠୁ ସକ୍ରିୟ ହୋଇଥିଲା।