କୁମ୍ଭ ମେଳା ଅର୍ଥହୀନ!

ଲାଲୁ ପ୍ରସାଦଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ, ୧୬/୦୨: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ରବିବାର ମହାକୁମ୍ଭକୁ ଅର୍ଥହୀନ ବୋଲି କହିବା ସହ ନୂଆଦିଲ୍ଲୀରେ ଦଳାଚକଟାରେ ହୋଇଥିବା ମୃତ୍ୟୁ ପାଇଁ ରେଳବାଇକୁ ଦାୟୀ କରିଛନ୍ତି। ଏହି ଘଟଣାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ସେ କହିଛନ୍ତି, “ଏହି ଦଳାଚକଟାରେ ମୃତ୍ୟୁ ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା  ଅବ୍ୟବସ୍ଥାକୁ ପଦାରେ ପକାଇଛି। ଏହି ଘଟଣାରେ ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଏହା ରେଳବାଇର ସମ୍ପୂର୍ଣ୍ଣ ବିଫଳତା। ଆହୁରି ମଧ୍ୟ ଲାଲୁ ପ୍ରସାଦ କହିଛନ୍ତି, କୁମ୍ଭ‌ ମେଳାର କୌଣସି ଅର୍ଥ ନାହିଁ। ଏହା କେବଳ ଅର୍ଥହୀନ।

ଲାଲୁଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିହାର ବିଜେପି ମୁଖପାତ୍ର ମନୋଜ ଶର୍ମା କହିଛନ୍ତି ଯେ “ଏହା ହିନ୍ଦୁ ଧର୍ମ ପ୍ରତି ଅପମାନ। ତୁଷ୍ଟୀକରଣ ରାଜନୀତି ଯୋଗୁଁ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି। ଆରଜେଡି ନେତାମାନେ ସର୍ବଦା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଅପମାନିତ କରିଛନ୍ତି।”

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ଜନଗହଳିପୂର୍ଣ୍ଣ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣରୁ ଅଧିକ ଆହତ ହୋଇଛନ୍ତି। ବିହାରର ୯ ଜଣ, ଦିଲ୍ଲୀର ୮ ଜଣ ଏବଂ ହରିୟାଣାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୧୪ ଓ ୧୬ ନମ୍ବର ପ୍ଲାଟଫର୍ମରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।