କାହିଁକି ବୈଶ୍ୱିକ ସ୍ତରରେ ନିନ୍ଦିତ ହେଲା ଓଡ଼ିଶା
ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ କି କିଟ୍ ୟୁନିଭର୍ସିଟି? ଗୁଣାତ୍ମକ ଶିକ୍ଷାଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ!
ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆଣିବାକୁ ନେପାଳ ଯାଆନ୍ତି କିଟ୍ ୟୁନିଭର୍ସିଟିର ଏଜେଣ୍ଟ!
ଭୁବନେଶ୍ୱର, ୧୮/୦୨: ନେପାଳର ପ୍ରକୃତି ଲମସାଲ। ଉଚ୍ଚଶିକ୍ଷା ପାଇବା ଆଶାରେ ଭାରତର ଉଚ୍ଚ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ କିଟ୍ ବିଶ୍ଵବିଦ୍ୟାଳୟରେ ପାଠ ପଢିଥିଲେ। ଚଳିତ ବର୍ଷ ବିଟେକ ତୃତୀୟ ବର୍ଷର ଛାତ୍ରୀ ଥିଲେ ପ୍ରକୃତି। ହେଲେ, ପାଠ ପଢା ଶେଷ ହେବା ପୂର୍ବରୁ ହିଁ ତାଙ୍କ ସହ ଘଟିଛି ଏକ ଅଭାବନୀୟ ଘଟଣା।
ଗତ ୧୬ ତାରିଖ ସନ୍ଧ୍ୟା ୫ଟାରେ କ୍ୟାମ୍ପସ ପରିସରରେ ଫେଷ୍ଟିଭାଲ ଚାଲିଥିବା ବେଳେ ସେ ଏକୁଟିଆ ହଷ୍ଟେଲ ରୁମରେ ଥାଇ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଫେଷ୍ଟିଭାଲ ଆଟେଣ୍ଡ କରିବା ପରେ ହଷ୍ଟେଲ ରୁମରେ ଆସି ତାଙ୍କ ସହପାଠୀମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ଏହି ଘଟଣା ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ଏହି ଘଟଣା ବିଜୁଳି ବେଗରେ କ୍ୟାମ୍ପସ ସାରା ବ୍ଯାପିଗଲା। ନେପାଳୀ ଛାତ୍ରଛାତ୍ରୀମାନେ ନ୍ୟାୟ ପାଇବା ଦାବିରେ କ୍ୟାଟ କ୍ୟାମ୍ପସ ପରିସରରେ ବିକ୍ଷୋଭ କରିଥିଲେ। ରାତି ସାରା ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ। ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନେପାଳୀ ଛାତ୍ରଛାତ୍ରୀମାନେ ଘଟଣାର ତଦନ୍ତ ଓ ପ୍ରକୃତି ଆତ୍ମହତ୍ୟା କରିଥିବା ପଛରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ନାରା ବାଜି ଲଗାଇଥିଲେ।
ନେପାଳୀ ଛାତ୍ରୀଙ୍କୁ ନ୍ୟାୟ ଦେବା ବଦଳରେ କିଟ୍ କର୍ତ୍ତୃପକ୍ଷ ବିକ୍ଷୋଭକାରୀମାନଙ୍କ ପ୍ରତି ଅତି ଅମାନୁଷିକ ହୋଇ ଯାଇଥିଲେ। ନିରୀହ ଛାତ୍ରଛାତ୍ରୀଙ୍କ ଉପରେ ଅତ୍ୟାଚାର କରିଥିଲେ। ଗାଳିଗୁଲଜ କରିବା ସହ ୟୁନିଭର୍ସିଟିର ସିକ୍ୟୁରିଟିମାନେ ପିଲାମାନଙ୍କୁ ମାଡ ମାରିବାକୁ ମଧ୍ଯ ପଛାଇନଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନେପାଳୀ ଛାତ୍ରଛାତ୍ରୀମାନଙ୍କ ପାଇଁ ୟୁନିଭର୍ସିଟିକୁ ସାଇନ-ଏ-ଡାଏ ଘୋଷଣା କରିଦେଲେ। କିଟ ହଷ୍ଟେଲ ୱାଡେନ ଛାତ୍ରଛାତ୍ରୀଙ୍କୁ କିଛି ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଲେ। ଯଦି ହଷ୍ଟେଲ ଖାଲି ନ ହୁଏ ତାହାଲେ ପୋଲିସ ଡ଼ାକିବେ ବୋଲି ଧମକ ମଧ୍ଯ ଦେଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କୁ ବଳପୂର୍ବକ କଲେଜର ବସରେ ନେଇ କଟକ ରେଲୱେ ଷ୍ଟେସନରେ ଛାଡି ଦେଲେ। କିଛି ଛାତ୍ରଛାତ୍ରୀ ପାଟନା ଯାଉଥିବା ପୁରୀ-ପାଟନା ଲୋକାଲ ଏକ୍ସପ୍ରେସରେ ଚଢି ଯାତ୍ରା କରିଥିଲେ। ଆଉ କିଛି ଛାତ୍ରଛାତ୍ରୀ କୁଆଡେ ଗଲେ, ତା’ର ଠିକଣା କାହା ପାଖରେ ନାହିଁ। ପରେ ରାଜ୍ୟ ସରକାରଙ୍କ ଚାପରେ ହେଉ ଅବା ୟୁନିଭର୍ସିଟିର ଛବି ଖରାପ ହେବା ଭୟରେ କିଛି ସମୟ ପରେ ଅର୍ଥାତ୍ ସନ୍ଧ୍ୟାରେ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ପୁଣି କଲେଜ ଆସିବାକୁ ଅନୁରୋଧ କଲେ।
ଅନ୍ୟପଟେ ଫରେନସିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହଷ୍ଟେଲ ରୁମରୁ ପ୍ରକୃତି ଲମସାଲଙ୍କ ମୋବାଇଲ ଓ ଲାପଟପ୍ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣା ପଡ଼ିଥିଲା ଯେ, ପ୍ରକୃତି ଲମସାଲଙ୍କ ସହିତ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆଲିଗଞ୍ଜ ଅଞ୍ଚଳର ଅଦ୍ଭିକ ଶ୍ରୀବାସ୍ତବଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଅଦ୍ଭିକ ଶ୍ରୀବାସ୍ତବ କିଟ୍ ବିଶ୍ଵବିଦ୍ୟାଳୟର ବିଟେକ ତୃତୀୟ ବର୍ଷର ଛାତ୍ର ଥିଲେ। ଦୁଇ ବର୍ଷ ପୂର୍ବେ ଉଭୟଙ୍କ ଚିହ୍ନା ପରିଚୟ ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କରେ ଧିରେ ଧିରେ ଫାଟ ସୃଷ୍ଟି ହେବା ଆରମ୍ଭ ହେଲା। ଅଦ୍ଭିକ ଓ ପ୍ରକୃତିଙ୍କ ମଧ୍ୟରେ ଝଗଡ଼ା ହେବାକୁ ଲାଗିଲା। ଅଦ୍ଭିକ ପ୍ରକୃତିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ। ଏ ନେଇ ପ୍ରକୃତି ୟୁନିଭର୍ସିଟି ଅଧିନରେ ଥିବା ଅନ୍ତର୍ଜାତୀୟ ସମ୍ପର୍କ କାର୍ଯ୍ୟାଳୟ (ଆଇଆରଓ) ର ଦ୍ୱାରସ୍ଥ ହୋଇଥିଲେ। ଆଇଆରଓ ରେ ଦୁଇ ଦୁଇ ଥର ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ କରାଇଥିଲେ ମଧ୍ୟ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ଥିଲା। ଅଦ୍ଭିକଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ଦେଖା ଯାଇନଥିଲା। ସେ ପୁଣି ପ୍ରକୃତି ଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ପ୍ରକୃତି ଓ ଅଦ୍ଭିକଙ୍କ ଝଗଡ଼ା ଲାଗିବାର ବାର୍ତ୍ତାଳାପର ଅଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସ୍ପଷ୍ଟ ଜଣା ପଡୁଛି ଯେ, ଅଦ୍ଭିକ ପ୍ରକୃତିଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ୧୬ ତାରିଖ ସକାଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ସେଦିନ ସନ୍ଧ୍ୟାରେ ଫେଷ୍ଟିଭାଲ ଚାଲିଥିବା ବେଳେ ସେ ଆଟେଣ୍ଡ କରିନଥିଲେ। ବରଂ ହଷ୍ଟେଲ ରୁମରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଏହି ଘଟଣାକୁ ନେଇ ତାଙ୍କ ସହପାଠୀ ମାନେ ପ୍ରେମିକ ଅଦ୍ଭିକଙ୍କ ଗିରଫ ଦାବି କରିଥିଲେ।
ଏତେ ସବୁ ଘଟଣା ପରେ ଗିରଫ ହେବା ଭୟରେ ଅଦ୍ଭିକ ଓଡ଼ିଶା ଛାଡ଼ିବାକୁ ଚେଷ୍ଟା କରିଥିଲେ। ଏଣୁ ସେ ଇଣ୍ଡିଗୋ ଫ୍ଲାଇଟ ଟିକେଟ ମଧ୍ୟ କରି ସାରିଥିଲେ। ହେଲେ, ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗତ କାଲି ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରି ଥାନାକୁ ଆଣିଥିଲା।
ତେବେ ଘଟଣା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ନୂଆଦିଲ୍ଲୀରେ ଅବସ୍ଥିତ ନେପାଳ ଦୂତାବାସର ଦୁଇ ଜଣ ଅଧିକାରୀଙ୍କୁ ଭୁବନେଶ୍ୱର ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ଓଲି ଏକ୍ସରେ ପୋଷ୍ଟ କରିଛନ୍ତି ଯେ ପ୍ରଭାବିତ ନେପାଳୀ ଛାତ୍ରଛାତ୍ରୀମାନେ ସେମାନଙ୍କ ହଷ୍ଟେଲରେ ରହିବା କିମ୍ବା ଘରକୁ ଫେରିବାର ବ୍ୟବସ୍ଥା କରାଯାଇଛି। ନ୍ୟାୟ ସୁନିଶ୍ଚିତ କରିବାକୁ ସେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ସେଠାରେ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ ଏବଂ ଯେଉଁମାନେ ନେପାଳ ଫେରିବାକୁ ଚାହିଁବେ ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଓଡ଼ିଶା ସହ ନେପାଳର ସମ୍ପର୍କ ବହୁ ପୁରୁଣା। କିଟ୍ ବିଶ୍ଵବିଦ୍ୟାଳୟରେ ଘଟିଥିବା ଘଟଣା ଏକ ସ୍ପର୍ଶକାତର ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣା ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ବିଭାଗ ସହ ଆମେ ଯୋଗାଯୋଗରେ ଅଛୁ। ଭୁବନେଶ୍ୱରସ୍ଥିତ ବିଶ୍ୱବିଦ୍ୟାଳୟକୁ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ସ୍ୱତନ୍ତ୍ର ବସ୍ କଟକ ରେଳ ଷ୍ଟେସନ ଓ ଅନ୍ୟାନ୍ୟ ସ୍ଥାନକୁ ପଠାଇଛନ୍ତି।
ସେହିପରି ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଆସି ପହଞ୍ଚିଛନ୍ତି ପ୍ରକୃତିଙ୍କ ପରିବାର ଲୋକେ। ପ୍ରକୃତିଙ୍କ ବାପା ଗଣମାଧ୍ୟମରେ କହିଛନ୍ତି ଯେ, ମୋ ଝିଅକୁ ଉଚ୍ଚଶିକ୍ଷା ଦେବା ପାଇଁ ଏହି ପ୍ରତିଷ୍ଠିତ ୟୁନିଭର୍ସିଟିରେ ପାଠ ପଢାଇଥିଲୁ। ଆମର ସ୍ଥାନୀୟ ପୋଲିସ ଓ ପ୍ରଶାସନ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ସେମାନେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋ ଝିଅକୁ ନ୍ୟାୟ ଦେବେ। ୟୁନିଭର୍ସିଟି ତରଫରୁ କର୍ତ୍ତୃପକ୍ଷ ଯାଇ ଆମକୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ବୁଝାଉଥିଲେ। ଏଠାରୁ ଏଜେଣ୍ଟ ଯାଇ କହୁଥିଲେ, ଆମ ୟୁନିଭର୍ସିଟିରେ ପିଲା ମାନଙ୍କୁ ପାଠ ପଢାନ୍ତୁ। ପରେ ଆମେ ଆମ ଝିଅକୁ ଏଠାରେ ପାଠ ପଢିବା ପାଇଁ ଛାଡିଥିଲୁ। ହେଲେ, ଏବେ ଏଭଳି ଦୁର୍ବ୍ୟବହାର ଶୋଭନୀୟ ନୁହେଁ।