ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ

ହାରାସ୍ କରାଯାଉଥିବା ଆଣିଲେ ଅଭିଯୋଗ

ଆଇଏଏସ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ୱର, ୧୮/୦୨: ଓଡ଼ିଶା କ୍ୟାଡ଼ରର ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ। ଆଜି ସକାଳ ୭ଟାରୁ ରେଡ୍ କରିଛି ସିବିଆଇ। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି (ଇଣ୍ଡିଆ) ଲିମିଟେଡ୍ ର ଲାଞ୍ଚ ମାମଲାରେ ସିବିଆଇର ୮ ଜଣିଆ ଟିମ୍ ଆଜି ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ। ଏହି ଘଟଣାରେ ସିବିଆଇ ରେଡକୁ ବିରୋଧ କରି ସେ ଆଇଏଏସ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।

ନିଜର ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, “୧୯୯୫ ବ୍ୟାଚର ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିରନ୍ତର ଓ ନିସ୍ୱାର୍ଥପର ସେବା ଯୋଗାଇ ଆସିଛି। କିନ୍ତୁ ଆଜି ହଠାତ୍ ମୋ ଘରେ ସିବିଆଇ ଚଢାଉ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଚଢ଼ାଉ ତରିକା ଠିକ୍ ନଥିଲା। ବିନା ଏଫଆଇଆରରେ ମୋ ଘରେ ଚଢ଼ାଉ କରାଯାଇଥିଲା। ଏସବୁ ଉଦ୍ଦେଶ୍ୟମୂଳକ ଭାବେ ହେଉଛି।”

ତେବେ ଏହି ଚଢାଉକୁ ନେଇ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ବିଷ୍ଣୁପଦ ସେଠୀ। ସେ କହିଛନ୍ତି, ସକାଳ ୭ଟାରେ ସିବିଆଇ ଅଧିକାରୀମାନେ ମୋ ବାସଭବନରେ ପହଞ୍ଚିଥିଲେ। ସେମାନେ ମୋ ବାସଭବନରେ ଜୋରଜବରଦସ୍ତ ବିନା ଏଫଆଇଆର ରେ ଚଢ଼ାଉ କରିଥିଲେ। ସେମାନେ କାହିଁକି ମୋ ବାସଭବନରେ ଚଢ଼ାଉ କରୁଛନ୍ତି ତାହା ଆମେ ଜାଣିନାହୁଁ। ସେମାନେ କୌଣସି ମହିଳା ଅଧିକାରୀଙ୍କ ବିନା ପହଞ୍ଚି ମୋ ପରିବାର ସଦସ୍ୟଙ୍କୁ ହଇରାଣ କରୁଥିଲେ। ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହିଁ । ଏହି କମ୍ପାନୀ ୨୦୧୬-୧୭ ମସିହାରୁ ଓଡ଼ିଶା ସରକାରଙ୍କ ସହ କାମ କରୁଛି। କମ୍ପାନୀର ଗ୍ରୁପ୍ ଜେନେରାଲ୍ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ସିବିଆଇ ତାଙ୍କ ଘରେ ଚଢ଼ାଉ କରିବା ପରିବର୍ତ୍ତେ ମୋ ବାସଭବନରେ ଚଢ଼ଉ କରୁଛି। ମୋ ବିରୋଧରେ ଏଫଆଇଆର ରୁଜୁ ହୋଇନଥିବାରୁ ଏହି ମାମଲାର ସ୍ୱଚ୍ଛ ଢଙ୍ଗରେ ତଦନ୍ତ କରାଯିବ ବୋଲି ମୁଁ ପୂର୍ବରୁ ଭାବିଥିଲି ବୋଲି ସେଠୀ କହିଛନ୍ତି। ସେପଟେ ସେ ଓ ତାଙ୍କ ପତ୍ନୀ ସେମାନଙ୍କୁ ହାରାସ କରାଯାଉଥିବା ଅଭିଯୋଗ ଆଣିଛନ୍ତି। ଆମ ଝିଅକୁ ମଧ୍ୟ ହାରାସ୍ କରାଯାଉଛି। ଆମେ ଏବେ ଭୟଭୀତ ଅବସ୍ଥାରେ ଅଛୁ।

ସୂଚନାଯୋଗ୍ୟ, ପୂର୍ବରୁ ଏକ ଦୁର୍ନୀତି ମାମଲାରେ ଆଇଏଏସ ବିଷ୍ଣୁପଦ ସେଠୀ ଓ ତାଙ୍କ ୩ ଜଣ ଡ୍ରାଇଭରଙ୍କୁ ସମନ କରିଥିଲା ସିବିଆଇ। ଗତ ଡିସେମ୍ବର ୭ ତାରିଖରେ ମେଫେୟାର ହୋଟେଲ ନିକଟରେ ଥିବା ଏକ ମର୍ସିଡିଜ କାରରୁ ନଗଦ ୧୦ ଲକ୍ଷ ଟଙ୍କା ଜବତ ମାମଲାରେ ହୋଇଥିଲା। ଏଥିରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା। ଟେଣ୍ଡର ଫିକ୍ସିଂ ଘଟଣାରେ ବିଷ୍ଣୁପଦ ସେଠୀ ଓ ତାଙ୍କ ଡ୍ରାଇଭରଙ୍କୁ ଡିସେମ୍ବର ୧୦ରେ ସମନ ଜାରି କରିଥିଲା ସିବିଆଇ। ଏଥିରେ ଧରା ପଡ଼ିଥିବା ୩ ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କୁ ଗିରଫ କରାଯାଇଥିଲା। ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ। ଟେଣ୍ଡର ଫିକ୍ସ କରିବା ପାଇଁ ଏହି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ତେଣୁ ସମସ୍ତ ସୂଚନା ପାଇଁ ସିବିଆଇ ଆଇଏଏସ ବିଷ୍ଣୁପଦ ସେଠୀ ଓ ତାଙ୍କ ଡ୍ରାଇଭରଙ୍କୁ ସମନ ଜାରି କରିଥିଲା। ଅନ୍ୟପଟେ ପୂର୍ବରୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଅନୁସୂଚିତ ଜାତି/ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଥିଲେ ବିଷ୍ଣୁପଦ ସେଠୀ। ଏହି ଘଟଣା ପରେ ତୁରନ୍ତ ତାଙ୍କୁ ପଦବୀରୁ ହଟାଇ ଦିଆଯାଇଥିଲା। ଏବଂ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିଲା।