କ୍ଷମା ମାଗିଲା କିଟ୍; ଅଧିକାରୀ ନିଲମ୍ବିତ, ସିକ୍ୟୁରିଟି ଗାର୍ଡ ବହିଷ୍କୃତ
୨ ଜଣ ହଷ୍ଟେଲ ଅଧିକାରୀ ଓ ଆଇଆରଓ ଅଧିକାରୀ ନିଲମ୍ବିତ ହୋଇଥିବା ବେଳେ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ନିଲମ୍ବନ କଲା କିଟ୍।
ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ୱର
ଭୁବନେଶ୍ୱର, ୧୮/୦୨: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ୟୁନିଭର୍ସିଟି କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଉପୁଜିଥିବା ବିବାଦରେ କିଟ୍ ବିଶ୍ୱବିଦ୍ୟାଳୟ କ୍ଷମା ପ୍ରାର୍ଥନା କରିଛି। ଫେବ୍ରୁଆରି ୧୬ ତାରିଖ ସନ୍ଧ୍ୟାରେ ଆମ କ୍ୟାମ୍ପସରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ଆମେ ଅତ୍ୟନ୍ତ ଦୁଃଖିତ। ଆମର ଦୁଇ ଜଣ ଅଧିକାରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଦାୟିତ୍ୱହୀନ ବୋଲି କିଟ୍ କହିଛି।
ସେହିପରି ହଷ୍ଟେଲର ଦୁଇ ଜଣ ଅଧିକାରୀ, ଅନ୍ତର୍ଜାତୀୟ ସମ୍ପର୍କ କାର୍ଯ୍ୟାଳୟ (ଆଇଆରଓ)ର ଜଣେ ଆଡମିନିଷ୍ଟ୍ରେଟିଭ୍ ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ଏଥିସହିତ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇଛି।
କିଟ୍ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, କିଟ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଯଥାଶୀଘ୍ର କ୍ୟାମ୍ପସକୁ ଫେରିବା ପାଇଁ ଅନୁରୋଧ କରୁଛନ୍ତି। ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କିଟ୍ କ୍ୟାମ୍ପସ-୬ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ସହାୟତା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ହେଲ୍ପଲାଇନ ନମ୍ବର (+91 8114380770) ମଧ୍ୟ ଜାରି କରିଛନ୍ତି।