ପାକିସ୍ତାନରେ ବାଜିଲା ଭାରତର ଜାତୀୟ ସଙ୍ଗୀତ

ପାକିସ୍ତାନ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ଖେଳାଯାଉଥିବା ବେଳେ ଭାରତର ଜାତୀୟ ସଙ୍ଗୀତ ବାଜିଥିଲା।

ପୁଣି ଟ୍ରୋଲ ହେଲା ପିସିବି

ନୂଆଦିଲ୍ଲୀ, ୨୨/୦୨: ଶନିବାର ପାକିସ୍ତାନ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଏକ ମ୍ୟାଚ୍ ଖେଳାଯାଉଛି। ଏହି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ପୂର୍ବରୁ ବାଜିଛି ଭାରତର ଜାତୀୟ ସଙ୍ଗୀତ। ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ପରିବର୍ତ୍ତେ ଲାହୋରରେ ଭୁଲବଶତଃ ଭାରତୀୟ ଜାତୀୟ ସଙ୍ଗୀତ ବଜାଯାଇଥିଲା। ଯାହା ପରେ ଉପସ୍ଥିତ ଦର୍ଶକ ମାନେ ହୋହଲ୍ଲା କରିବା ଆରମ୍ଭ କରିଥିଲେ।

ପରେ ଆୟୋଜକମାନେ ନିଜ ଭୁଲ୍ ବୁଝି ପାରିଥିଲେ। ଏବଂ ପରେ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ତେବେ ଜାତୀୟ ସଙ୍ଗୀତ ପରିବେଷଣ ସମୟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନ ଓ ପିସିବିକୁ ଟ୍ରୋଲ ହେବାକୁ ପଡିଛି।

ତେବେ ପାକିସ୍ତାନରେ ଖେଳା ଯାଉଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କୌଣସି ବି ମ୍ୟାଚ ଭାରତ ସେଠାରେ ଖେଳିବ ନାହିଁ। ଭାରତୀୟ ଟିମ୍ ପାକିସ୍ତାନ ଯିବାକୁ ଅମଙ୍ଗ ହେବାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ହାଇବ୍ରିଡ୍‌ ମୋଡ୍‌ରେ କରାଗଲା। ପାକିସ୍ତାନ ପ୍ରଥମେ ହାଇବ୍ରିଡ୍ ମଡେଲର ବିଚାରକୁ ବିରୋଧ କରିଥିଲା। କିନ୍ତୁ ୨୦୨୪ ଡିସେମ୍ବରରେ ଜୟ ଶାହା ଆଇସିସି ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିସିସିଆଇ, ପିସିବି ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ହାଇବ୍ରିଡ୍ ମଡେଲ ପାଇଁ ରାଜି ହୋଇଥିଲେ। ଯାହା ଫଳରେ ଭାରତ ତାର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବ।