ପରମାଣୁ ଯୁଦ୍ଧ ନେଇ ଆମେରିକାର ଚେତାବନୀ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ୬ ମାସ ପୂରିଗଲାଣି । ଏହାରି ଭିତରେ ୟୁକ୍ରେନ ପ୍ରତି ବିପଦ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଋଷ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିପାରେ ବୋଲି କୁହାଯାଉଛି । ୨୪ ଅଗଷ୍ଟରେ ୟୁକ୍ରେନର ସ୍ୱାଧୀନତା ଦିବସ । ଏପରିକି ଏହି ଦିନରେ ସରକାରୀ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇପାରେ ବୋଲି ଆଶଙ୍କା ରହିଛି ।

କିଭ୍‌ରେ ଥିବା ଆମେରିକା ଦୂତାବାସର ଏନେଇ ଜାରି କରିଛି ହାଇ ଆଲର୍ଟ । ଯେଉଁଥିପାଇଁ ବଢିଛ ଭୟ । ଏଥିରେ କୁହାଯାଇଛି ଯେ ଆଗାମୀ ଦିନରେ ୟୁକ୍ରେନରେ ନାଗରିକ ଭିତ୍ତିଭୂମି ତଥା ସରକାରୀ ସୁବିଧା ବିରୋଧରେ ଋଷ ଆକ୍ରମଣ କରିପାରେ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଗାମୀ ବିପଦ ବିଷୟରେ ଶୁଣିବା ପରେ ହୋଇପଡିଛନ୍ତି ଆତଙ୍କିତ ।

ସେ ତାଙ୍କ ସମ୍ୱୋଧନରେ କହିଛନ୍ତି ଯେ ଏହି ସପ୍ତାହରେ ଋଷ କିଛି ନିଷ୍ଠୁର ପଦକ୍ଷେପ ଗ୍ରହଣ କରିପାରେ । ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନ ଲୋକଙ୍କୁ ସ୍ୱାଧୀନତା ଦିବସ ଅବସରରେ କାର୍ଯ୍ୟକ୍ରମ ଆୟୋଜନ ନକରିବାକୁ ପରାମର୍ଶ ଦେଇଛି । ୟୁକ୍ରେନରେ ରହୁଥିବା ଆମେରିକୀୟମାନଙ୍କୁ ମଧ୍ୟ ତୁରନ୍ତ ଦେଶ ଛାଡିବାକୁ ଆମେରିକା ସରକାର ଚେତାବନୀ ଦେଇଛନ୍ତି ।