ଲିଙ୍ଗରାଜ ମନ୍ଦିର ଅଘଟଣ

ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭/୦୨: ବୁଧବାର ରାତିରେ ମହାଶିବରାତ୍ରୀ ଅବସରରେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠାଇବା ବେଳେ ଜଣେ ସେବାୟତ ଖସି ପଡି ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଉକ୍ତ ସେବାୟତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କ୍ୟାପିଟାଲ ହସ୍ପିଟାଲ ଯାଇ ସେବାୟତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମହାଦୀପ ନେଇ ମନ୍ଦିର ଉପରକୁ ଚଢ଼ିବା ବେଳେ ସେବାୟତ ଖସି ପଡ଼ିଥିଲେ। ତେବେ ଅନ୍ୟ ଜଣେ ସେବାୟତ ତୁରନ୍ତ ମହାଦୀପକୁ ନେଇ ରାତି ୧୦ଟା ୪୦ରେ ସଫଳତାର ସହ ମନ୍ଦିର ଉପରେ ସ୍ଥାପନ କରିଥିଲେ।

“ଲିଙ୍ଗରାଜ ମନ୍ଦିର ଜାଗରଯାତ୍ରା ସମୟରେ ଦୁର୍ଘଟଣାର ଶିକାର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ସେବାୟତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛି। ଆହତ ସେବାୟତଙ୍କୁ ପ୍ରାଥମିକତା ଭିତ୍ତିରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି। ତାଙ୍କ ଆଶୁ ଆରୋଗ୍ୟ କାମନା କରି ମୁଁ ପ୍ରାର୍ଥନା କରୁଛି ବୋଲି ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଇନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ।