୨୩ ବର୍ଷ ପୂର୍ବର ଭାରତର ଏହି କଳା କାହାଣୀ

ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ଫେବ୍ରୁଆରୀ ୨୭

ବିଶ୍ୱ ଏନଜିଓ ଦିବସ: ବିଭିନ୍ନ ଏନଜିଓ ଦ୍ୱାରା କରାଯାଉଥିବା କାର୍ଯ୍ୟ ଓ ଅବଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୨୭ ଫେବ୍ରୁଆରୀକୁ ବିଶ୍ୱ ଏନଜିଓ ଦିବସ ଭାବେ ପାଳନ କରାଯାଏ। ୨୦୧୦ରେ ବାଲଟିକ୍ ସାଗର ରାଷ୍ଟ୍ର ପରିଷଦର ‘ନବମ ବାଲ୍ଟିକ୍ ସି ଏନଜିଓ ଫୋରମ’ର ୧୨ଟି ସଦସ୍ୟ ରାଷ୍ଟ୍ର ଦ୍ୱାରା ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଥିଲା ଏବଂ ୨୦୧୪ରେ ପ୍ରଥମ ଥର ପାଇଁ ଜାତିସଂଘ ଦ୍ୱାରା ସ୍ୱୀକୃତି ପାଇ ପାଳନ ହୋଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ବିଷ୍ଣୁ ବାମନ ଶିରୱାଡକର (୨୭ ଫେବ୍ରୁଆରୀ ୧୯୧୨ – ୧୦ ମାର୍ଚ୍ଚ ୧୯୯୯) ମହାରାଷ୍ଟ୍ରର ନାସିକରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ମରାଠୀ କବି, ନାଟ୍ୟକାର ଓ ଔପନ୍ୟାସିକ ଥିଲେ। ସେ କୁସୁମଗ୍ରାଜ ନାମରେ ମଧ୍ୟ ପରିଚିତ। ପାଖାପାଖି ପାଞ୍ଚ ଦଶନ୍ଧିର ଦୀର୍ଘ କ୍ୟାରିୟରରେ ସେ ଅନେକ କବିତା, ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ରଚନା କରିଥିଲେ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଥିଲା ବିଶାଖା ଓ ନାଟସମ୍ରାଟ। ୧୯୭୪ ମସିହାରେ ସେ ନାଟସମ୍ରାଟ ପାଇଁ ମରାଠୀଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୧୯୮୭ମସିହାରେ ତାଙ୍କୁ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୯୧ମସିହାରେ ତାଙ୍କୁ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା।

୨. ପ୍ରକାଶ ଝା ବିହାରର ବେଟିଆଠାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଚଳଚ୍ଚିତ୍ର ନିର୍ମାତା, ଅଭିନେତା, ନିର୍ଦ୍ଦେଶକ ଅଟନ୍ତି। ତାଙ୍କ ଦ୍ୱାରା ନିର୍ମିତ ‘ଦାମୁଲ’ ୧୯୮୫ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମଫେୟାର କ୍ରିଟିକ୍ସ ଆୱାର୍ଡ ପାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଭାରତର ସପ୍ତମ ମୋଗଲ ସମ୍ରାଟ ବାହାଦୁର ଶାହା‌ ପ୍ରଥମ (୧୪ ଅକ୍ଟୋବର ୧୬୪୩ – ୨୭ ଫେବ୍ରୁଆରୀ ୧୭୧୨) ୧୭୦୭ରୁ ୧୭୧୨ ମସିହାରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଶାସନ କରିଥିଲେ। ଯୁବାବସ୍ଥାରେ ସେ ଷଷ୍ଠ ମୋଗଲ ସମ୍ରାଟ ତଥା ପିତା ଔରଙ୍ଗଜେବଙ୍କୁ ହଟାଇ ସିଂହାସନରେ ବସିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ୧୭୧୨ ମସିହା ଫେବ୍ରୁଆରି ୨୭ ତାରିଖରେ ୬୮ ବର୍ଷ ବୟସରେ ମୋଗଲ ସାମ୍ରାଜ୍ୟର ଲାହୋରଠାରେ ତାଙ୍କର ଦେହାନ୍ତ ହୋଇଥିଲା। ବାହାଦୁର ଶାହଙ୍କୁ ଦିଲ୍ଲୀର ମେହରୌଲିସ୍ଥିତ ମୋତି ମସଜିଦରେ ସମାଧି ଦିଆଯାଇଥିଲା।

୨. ଧରମ ସିଂହ ହୟାତପୁର (୧୮୮୪ – ୨୭ ଫେବ୍ରୁଆରୀ ୧୯୨୬) ଶିଖ୍ ରାଜନୈତିକ ଏବଂ ଧାର୍ମିକ ଗୋଷ୍ଠୀ ‘ବାବର ଅକାଳୀ ଆନ୍ଦୋଳନ’ର ଜଣେ ପ୍ରମୁଖ ସଦସ୍ୟ ଥିଲେ। ୧୯୨୬ ମସିହାରେ ଏକ ବ୍ରିଟିଶ ଇମ୍ପେରିଆଲ୍ ସେସନ୍ସ କୋର୍ଟ ତାଙ୍କୁ ତାଙ୍କ କାର୍ଯ୍ୟକଳାପ ପାଇଁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ, କିନ୍ତୁ ହାଇକୋର୍ଟଙ୍କ ଆବେଦନ କ୍ରମେ ଏହି ଦଣ୍ଡାଦେଶକୁ ବୃଦ୍ଧି କରାଯାଇଥିଲା ଏବଂ ୨୭ ଫେବ୍ରୁଆରୀ ୧୯୨୬ରେ ତାଙ୍କୁ ଫାଶୀ ଦିଆଯାଇଥିଲା।

୩. ଗଣେଶ ବାସୁଦେବ ମାୱଲଙ୍କାର (୨୭ ନଭେମ୍ବର ୧୮୮୮ – ୨୭ ଫେବ୍ରୁଆରୀ ୧୯୫୬), ଜଣେ ସ୍ୱାଧୀନତା ସଂଗ୍ରାମୀ। ସେ ଦାଦାସାହେବ ନାମରେ ମଧ୍ୟ ପରିଚିତ ଥିଲେ। ସେ ସେଣ୍ଟ୍ରାଲ ବିଧାନ ସଭାର ସଭାପତି (୧୯୪୬ – ୧୯୪୭), ଭାରତର ସମ୍ବିଧାନ ସଭାର ତତ୍କାଳୀନ ବାଚସ୍ପତି ଏବଂ ପରେ ଲୋକସଭାର ପ୍ରଥମ ବାଚସ୍ପତି ଥିଲେ।

୪. ଚନ୍ଦ୍ରଶେଖର ଆଜାଦ (୨୩ ଜୁଲାଇ ୧୯୦୬ – ୨୭ ଫେବ୍ରୁଆରୀ ୧୯୩୧) ମଧ୍ୟପ୍ରଦେଶର ଅଲିରାଜପୁରସ୍ଥିତ ଭର୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ହିନ୍ଦୁସ୍ଥାନୀ ରିପବ୍ଲିକାନ ଆସୋସିଏସନର ପ୍ରତିଷ୍ଠାତାମାନଙ୍କ ମୃତ୍ୟୁ ପରେ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆର୍ମି ଗଠନ କରିଥିଲେ। ୨୭ ଫେବୃଆରୀ ୧୯୩୧ରେ ଆହ୍ଲାବାଦର ଆଲଫ୍ରେଡ୍ ପାର୍କ (ବର୍ତ୍ତମାନ ଆଜାଦ ପାର୍କ)ରେ ଆଜାଦଙ୍କର ଦେହାନ୍ତ ହୋଇଥିଲା। ପୁଲିସ ଘେରି ଯିବା ପରେ ସେ ନିଜକୁ ଗୁଳି କରିଥିଲେ।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୮୦୩ – ଇଂରେଜମାନଙ୍କ ଅଧୀନରେ ଥିବା ଏକ ଜନବହୁଳ ଅଞ୍ଚଳ ବମ୍ବେରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ଏବଂ ଏହାର ପରବର୍ତ୍ତୀ ପରିସ୍ଥିତି ବ୍ରିଟିଶର୍ସ ମାନେ ସମଗ୍ର ବମ୍ବେର ଆର୍କିଟେକଚର କାମ ଆରମ୍ଭ କରିଥିଲେ।

୨୦୦୨ – ଏହି ଦିନ ସକାଳେ ଭାରତର ଗୁଜୁରାଟର ଗୋଧ୍ରା ରେଳ ଷ୍ଟେସନ ନିକଟରେ ସାବରମତୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟି ୫୯ ଜଣ ହିନ୍ଦୁ ତୀର୍ଥଯାତ୍ରୀ ଓ କାରସେବକଙ୍କ ମୃତ୍ୟୁ ଘଟିଥିଲା। ମୁଜାଫରପୁରରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ସାବରମତୀ ଏକ୍ସପ୍ରେସର ଏକ ବଗିରେ ନିଆଁ ଲାଗିଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ନିମନ୍ତ୍ରଣକ୍ରମେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମର ଏକ ଅଂଶ ପୂର୍ଣ୍ଣହୁତି ମହାଯଜ୍ଞରେ ଯୋଗ ଦେବା ପାଇଁ ଅଯୋଧ୍ୟାରୁ ଟ୍ରେନରେ ଯାତ୍ରା କରିଥିଲେ। ଏହି ଦିନକୁ ଭାରତ ଇତିହାସରେ ଏକ କଳା ଦିନ ଭାବେ ବିବେଚନା କରାଯାଏ।

୨୦୧୯ – ପାକିସ୍ତାନ ଭାରତୀୟ ସେନା ଅଧିକାରୀ ଅଭିନନ୍ଦନ ବର୍ଥମନଙ୍କ ବିମାନକୁ ଗୁଳି କରି ବିବାଦୀୟ କାଶ୍ମୀର ଅଞ୍ଚଳରେ କାବୁ କରିଥିଲା।