ଟେକ୍ସାସ, ୦୨/୦୩: ଚନ୍ଦ୍ରରେ ସଫଳତାର ସହ ଅବତରଣ କରିଛି ‘ବ୍ଲୁ ଘୋଷ୍ଟ’। ଟେକ୍ସାସ ସ୍ଥିତ ଆମେରିକାର ଘରୋଇ କମ୍ପାନୀ ଫାୟାରଫ୍ଲାଇ ଏରୋସ୍ପେସ୍ ର ‘ବ୍ଲୁ ଘୋଷ୍ଟ’ ଲୁନାର ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିଛି। ୨୦୨୫ ଜାନୁଆରୀ ୧୫ତାରିଖରେ ସ୍ପେସ୍ ଏକ୍ସ ଫାଲକନ୍-୯ ରକେଟ୍ ରେ ଉତକ୍ଷେପଣ ହୋଇଥିବା ଏହି ଲ୍ୟାଣ୍ଡର ମାର୍ଚ୍ଚ ୨ରେ ସଫଳତାର ସହ ଅବତରଣ କରିଛି। ଚନ୍ଦ୍ରରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଏକ ଫଟୋ ଉଠାଇ ପଠାଇଛି।
କମର୍ସିଆଲ ଲୁନାର ପେଲୋଡ୍ ସର୍ଭିସେସ୍ (ସିଏଲପିଏସ୍) ର ଏକ ଅଂଶ ଭାବରେ ନାସାର ୧୦ଟି ପେଲୋଡ୍ ବହନ କରୁଥିବା ବ୍ଲୁ ଘୋଷ୍ଟ ମିଶନର ଲକ୍ଷ୍ୟ ଚନ୍ଦ୍ର ପରିବେଶ ବିଷୟରେ ଅବଗତ କରାଇବା। ଏଥିରେ ୩ଟି ସୋଲାର ପ୍ୟାନେଲ ଲାଗିଛି। ଚନ୍ଦ୍ରର ମାଟି ପରୀକ୍ଷା କରିବା ସହିତ ତାପମାତ୍ରା ମାପିବ।
ବ୍ଲୁ ଘୋଷ୍ଟ ହେଉଛି ଛୋଟ କାର ଆକୃତିର ଏକ ଲ୍ୟାଣ୍ଡର। ଏହି ମହାକାଶଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ପୃଥିବୀକୁ ପରିକ୍ରମା କରିବାରେ ପ୍ରାୟ ଏକ ମାସ ବିତାଇଥିଲା। ଏହି ମିଶନର ଅବଧି ଦୁଇ ସପ୍ତାହ ରହିଛି। ଆଗକୁ ଚନ୍ଦ୍ରଗ୍ରହଣ ଆସୁଥିବା ବେଳେ ଏହା ଚନ୍ଦ୍ରରେ ରହି ଚନ୍ଦ୍ରଗ୍ରହଣ ମଧ୍ୟ ଦେଖିବ। ଭବିଷ୍ୟତରେ ମ୍ୟାନ ମିଶନ ପାଇଁ ବାଟ ଫିଟାଇବ ବ୍ଲୁ ଘୋଷ୍ଟ।
ପୂର୍ବରୁ ବିଭିନ୍ନ ଦେଶର ମହାକାଶ ଏଜେନ୍ସି ନିଜ ନିଜର ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ ବି ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନି ଏପରି ସଫଳତା ହାସଲ କରିଛି।