ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ ଓ ବିଶ୍ୱ ଶ୍ରବଣ ଦିବସ

ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୨୦୨୫ ମାର୍ଚ୍ଚ ୩

ବିଶ୍ୱ ବନ୍ୟପ୍ରାଣୀ ଦିବସ: ବିଶ୍ୱର ବନ୍ୟଜନ୍ତୁ ଓ ଉଦ୍ଭିଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଏ। ଏଥିରେ ବନ୍ୟଜନ୍ତୁ ଓ ସେମାନଙ୍କ ବାସସ୍ଥଳୀର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରାଯିବା ସହ ଜୈବ ବିବିଧତାର ଗୁରୁତ୍ୱ ଏବଂ ସଂରକ୍ଷଣ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଛି। ଆନ୍ତର୍ଜାତିକ ବାଣିଜ୍ୟ କାରବାର ବନ୍ୟପ୍ରାଣୀଙ୍କୁ ହାନୀ ପହଞ୍ଚାଏ ନାହିଁ’ ଏହି ବାର୍ତ୍ତାକୁ ଗୁରୁତ୍ୱ ଦାବାକୁ ଯାଇ ଜାତିସଂଘର ୬୮ତମ ସାଧାରଣ ବୈଠକରେ ୨୦ ଡିସେମ୍ବର ୨୦୧୩ରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହାର ପର ବର୍ଷ ଅର୍ଥାତ୍ ୨୦୧୪ରୁ ଏହି ଦିବସ ପାଳନ ହୋଇ ଆସୁଛି।

ବିଶ୍ୱ ଶ୍ରବଣ ଦିବସ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଦ୍ୱାରା ଆୟୋଜିତ ଏହି ଦିବସର ଉଦ୍ଦେଶ୍ୟ ସାରା ବିଶ୍ୱରେ କାନ ଏବଂ ଶ୍ରବଣ ସେବାକୁ ପ୍ରୋତ୍ସାହିତ କରିବା। ଶ୍ରବଣ ଶକ୍ତି ହ୍ରାସ ମାମଲାରେ ଆଗୁଆ ଚିହ୍ନଟ କରି ନିରାକରଣ ଉପରେ ଗୁରୁତ୍ବ ଦେବା ପାଇଁ ଆଲୋକପାତ କରେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଜାମସେଦଜୀ ନୁସରୱାନଜୀ ଟାଟା (୩ ମାର୍ଚ୍ଚ ୧୮୩୯ – ୧୯ ମଇ ୧୯୦୪), ଜଣେ ଭାରତୀୟ ଅଗ୍ରଣୀ ଶିଳ୍ପପତି। ସେ ଭାରତର ସର୍ବବୃହତ ବ୍ୟବସାୟୀ ଗୋଷ୍ଠୀ ଟାଟା ଗ୍ରୁପ୍ ପ୍ରତିଷ୍ଠା କରିଥିଲେ। ସେ ଜାମସେଦପୁର ସହର ମଧ୍ୟ ପ୍ରତିଷ୍ଠା କରିଥିଲେ। ତାଙ୍କୁ “ଭାରତୀୟ ଶିଳ୍ପର ପିତା” ଭାବରେ ବିବେଚନା କରାଯାଏ।

୨. ଆଲେକଜାଣ୍ଡର ଗ୍ରାହାମ ବେଲ୍ (୩ ମାର୍ଚ୍ଚ ୧୮୪୭ – ୦୯ ଅଗଷ୍ଟ ୧୯୨୨)  ବୈଜ୍ଞାନିକ, ଉଦ୍ଭାବକ ଏବଂ ଇଞ୍ଜିନିୟର ଯିଏ କି ପ୍ରଥମେ ଟେଲିଫୋନ୍ ଆବିଷ୍କାର କରିଥିଲେ। ଏରୋନୋଟିକ୍ସ, ହାଇଡ୍ରୋଫଏଲ୍ସ ଏବଂ ଅପ୍ଟିକାଲ ଟେଲିକମ୍ୟୁନିକେସନରେ ମଧ୍ୟ ବେଲ ତାଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଜଣାଶୁଣା।

୩. ଜସପାଲ ସିଂ ଭଟ୍ଟି (୩ ମାର୍ଚ୍ଚ ୧୯୫୫ – ୨୫ ଅକ୍ଟୋବର ୨୦୧୨), ଜଣେ ଭାରତୀୟ ଟେଲିଭିଜନ ବ୍ୟକ୍ତିତ୍ୱ। ସେ ଚଣ୍ଡିଗଡ଼ରେ ବିଭିନ୍ନ ଦୁର୍ନୀତି ବିରୋଧୀ ଅଭିଯାନ ଚଳାଇଥିଲେ। ୨୦୧୩ମସିହାରେ ତାଙ୍କୁ (ମରଣୋତ୍ତର) ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଷଷ୍ଠ ମୋଗଲ ସମ୍ରାଟ ଔରଙ୍ଗଜେବ (୩ ନଭେମ୍ବର ୧୬୧୮ – ୩ ମାର୍ଚ୍ଚ ୧୭୦୭) ମୋଗଲ ସମ୍ରାଟ ଶାହଜାହାନ ଓ ମୁମତାଜଙ୍କ ତୃତୀୟ ପୁତ୍ର ଔରଙ୍ଗଜେବ। ସେ ପ୍ରାୟ ସମଗ୍ର ଭାରତୀୟ ଉପମହାଦେଶରେ ୪୯ ବର୍ଷ ଶାସନ କରିଥିଲେ। ତାଙ୍କୁ ମୋଗଲ ସାମ୍ରାଜ୍ୟର ଶେଷ ପ୍ରଭାବଶାଳୀ ଶାସକ ଭାବରେ ବିବେଚନା କରାଯାଏ। ଔରଙ୍ଗଜେବ ଫତାୱା-ଏ-ଆଲମଗିରି ସଂକଳନ କରିଥିଲେ ଏବଂ ସେହି ଅଳ୍ପ କିଛି ରାଜାମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ସମଗ୍ର ଭାରତୀୟ ଉପମହାଦେଶରେ ଶରିୟା ଆଇନ ଏବଂ ଇସଲାମିକ ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିଷ୍ଠା କରିଥିଲେ । ସେ ଜଣେ ଦକ୍ଷ ସାମରିକ ନେତା ଥିଲେ‌।

୨. ଫିରାକ୍ ଗୋରଖପୁରୀ (୨୮ ଅଗଷ୍ଟ ୧୮୯୬ – ୩ ମାର୍ଚ୍ଚ ୧୯୮୨), ଜଣେ ଲେଖକ ଓ ସମାଲୋଚକ। ସେ ରଘୁପତି ସହାୟ ନାମରେ ମଧ୍ୟ ପରିଚିତ ଥିଲେ। ସେ ପ୍ରାଦେଶିକ ପ୍ରଶାସନିକ ସେବା (ପିସିଏସ୍) ଏବଂ ଭାରତୀୟ ପ୍ରଶାସନିକ ସେବା (ବ୍ରିଟିଶ ଇଣ୍ଡିଆ) (ଆଇସିଏସ୍) ପାଇଁ ମନୋନୀତ ହୋଇଥିଲେ, କିନ୍ତୁ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଅନୁସରଣ କରିବା ପାଇଁ ଇସ୍ତଫା ଦେଇଥିଲେ, ଯେଉଁଥିପାଇଁ ସେ ୧୮ ମାସ ପାଇଁ ଜେଲ୍ ଯାଇଥିଲେ। ସେ ଆଲ୍ଲାମା ଇକବାଲ, ଫୈଜ ଅହମ୍ମଦ ଫୈଜ, କୈଫି ଆଜମୀ ଏବଂ ସାହିର ଲୁଧିଆନଭିଙ୍କ ପରି ଜଣେ ପ୍ରସିଦ୍ଧ ଉର୍ଦ୍ଦୁ କବି ଥିଲେ। ୧୯୬୦ ମସିହାରେ ତାଙ୍କୁ ଉର୍ଦ୍ଦୁ ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପରେ ୧୯୬୮ମସିହାରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ଉର୍ଦ୍ଦୁ ସାହିତ୍ୟ ପାଇଁ ପ୍ରଥମ ଜ୍ଞାନପୀଠ ପୁରସ୍କାର ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଥିଲା।

୩. ଗାନ୍ତି ମୋହନା ଚନ୍ଦ୍ର ବଳଯୋଗୀ (୧ ଅକ୍ଟୋବର ୧୯୫୧ – ୩ ମାର୍ଚ୍ଚ ୨୦୦୨) ଜଣେ ଭାରତୀୟ ଆଇନଜୀବୀ ଓ ରାଜନୀତିଜ୍ଞ ଥିଲେ। ସେ ଦ୍ୱାଦଶ ଲୋକସଭାର ବାଚସ୍ପତି ଭାବରେ କାର୍ଯ୍ୟ କରୁଥିବା ବେଳେ ୩ ମାର୍ଚ୍ଚ ୨୦୦୨ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୫୭୫ – ମୋଗଲ ସମ୍ରାଟ ଆକବର ତୁକାରୋଇ ଯୁଦ୍ଧରେ ବଙ୍ଗୀୟ ସେନାକୁ ପରାସ୍ତ କରିଥିଲେ। ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ତୁକରୋଇ ଗ୍ରାମ ନିକଟରେ ଏହି ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧ ମୋଗଲ ସାମ୍ରାଜ୍ୟ ଏବଂ ବଙ୍ଗଲା ଓ ବିହାରର ସୁଲତାନ ମଧ୍ୟରେ ହୋଇଥିଲା।

୧୯୨୩ – ଆମେରିକୀୟ ସାପ୍ତାହିକ ସମ୍ବାଦ ପତ୍ରିକା ‘ଟାଇମ୍’ର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା।

୧୯୩୧ – ଷ୍ଟାର-ସ୍ପାଙ୍ଗଲ୍ଡ ବ୍ୟାନରକୁ ଆନୁଷ୍ଠାନିକ ଭାବେ ଆମେରିକାର ଜାତୀୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଇଥିଲା।

୧୯୩୯ – ବମ୍ବେରେ ଗାନ୍ଧୀଜୀ ଭାରତରେ ଏକଛତ୍ରବାଦୀ ଶାସନ ବିରୋଧରେ ଅନଶନ ଆରମ୍ଭ କରିଥିଲେ।

୧୯୪୨ – ଜାପାନର ୧୦ଟି ଯୁଦ୍ଧ ବିମାନ ଅଷ୍ଟ୍ରେଲିଆର ବ୍ରୁମ୍ ଉପରେ ଆକ୍ରମଣ କରିବା ପରେ ୧୦୦ରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇଥିଲା।

୧୯୬୯ – ଆପୋଲୋ-୯ ନାସାର କେନେଡି ସ୍ପେସ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯ବିରୁ ଉଡ଼ାଣ ଭରିଥିଲା।