ସରକାର ଆସିବ ଯିବ ବିଜୁବାବୁ ଓଡିଆଙ୍କ ହୃଦୟରେ ରହିବେ: ନବୀନ

ନାଁ ବଦଳାଇ ପାରନ୍ତି, ଲୋକଙ୍କ‌ ଭଲପାଇବା ନୁହେଁ

ଭୁବନେଶ୍ୱର, ୦୫/୦୩: ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ କରିଛି ବିଜେଡ଼ି। ଶଙ୍ଖ ଭବନରେ ବିଜେଡ଼ି ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିଲେ ବିରୋଧୀ ଦଳ‌ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ଏଥିରେ ଯୋଗ ଦେଇ ବିଜେପି ସରକାର ଉପରେ ଟାର୍ଗେଟ କରିଛନ୍ତି ନବୀନ।

ନବୀନ କହିଛନ୍ତି, ବିଜୁ ବାବୁ; ଏହି ଦୁଇଟି ଶବ୍ଦ ଶୁଣିଲେ ପ୍ରତିଟି ଓଡ଼ିଆର ଛାତି ଫୁଲେ ଉଠେ ଓ ସାହସ ଆସେ। ଦୁର୍ଭାଗ୍ୟଜନକ ଯେ, ବିଜେପି ଶାସନକୁ ଆସିବା ପରେ କ୍ରୀଡ଼ା ସମ୍ମାନର ନାଁ ବଦଳାଇବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନବନ୍ଦରର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରା ପଡିଲେନି। ୧୯୯୩ରୁ ଓଡ଼ିଶାରେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ଆପଣ ନାଁ ବଦଳାଇ ପାରନ୍ତି, ହେଲେ ଲୋକଙ୍କ ହୃଦୟରେ ଥିବା ବିଜୁ ବାବୁଙ୍କ ପ୍ରତି ଭଲପାଇବା ନୁହେଁ। ପାରାଦୀପ ପୋର୍ଟ ବଦଳାଇ ପାରିବେ କି? ହାଲ୍, ଏନଟିପିସି ତାଳଚେର, ଏନଆଇଟି ରାଉରକେଲାକୁ ବଦଳାଇ ପାରିବେ‌ କି? ଏହା ବିଜେପିର କ୍ଷୁଦ୍ର ମନୋଭାବକୁ ପ୍ରକାଶ କରୁଛି। ଏହା ଅପରିପକ୍ଵ ରାଜନୀତି। ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ କୌଣସି ପଦପଦବୀ ପାଇଁ ରାଜନୀତିକୁ ଆସିନଥିଲେ। ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନେସ୍କୋ କଳିଙ୍ଗ ପୁରସ୍କାର କଥା ହେଉ, ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ ବିଜୁବାବୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚଙ୍କୁ ଗାଁର ମୁଖ୍ୟମନ୍ତ୍ରୀ କହୁଥିଲେ ବିଜୁ ବାବୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜବୁତ କରିବାକୁ ବିଜୁବାବୁଙ୍କ ଉଦ୍ୟମକୁ ଅଣଦେଖା କରାଯାଇ ପାରିବ ନାହିଁ। କିଛି ବର୍ଷ ହେଲା କିଛି ବ୍ୟକ୍ତି ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ତାହା ସଫଳ ହେବା ନାହିଁ। ଇତିହାସ ହେଉଛି ସମୟର ଖୋଲା ବହି। ସରକାର ଆସିବ ଯିବ, କିନ୍ତୁ ବିଜୁବାବୁ ଓଡିଆଙ୍କ ହୃଦୟରେ ରହିବେ। ଓଡ଼ିଶାବାସୀ ତାଙ୍କ ପ୍ରତି ଗର୍ବିତ ବୋଲି ନବୀନ‌ କହିଛନ୍ତି।