ଜଟଣୀ ସ୍ଥିତ ସ୍କିଲ ଇଣ୍ଡିଆ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
ଖୋର୍ଦ୍ଧା, ୦୮/୦୩: ଆଜି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସ୍ଥିତ ତରବୋଇ ଠାରେ ଥିବା ଷ୍ଟିଲ ଇଣ୍ଡିଆ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ ସମ୍ବନ୍ଧରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ସହିତ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡା, ଡିଆଇପିଆରଓ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟାୟକଙ୍କ ସମେତ ଖୋର୍ଦ୍ଧା ତହସିଲଦାର ଓ ଜଟଣୀ ବିଡ଼ିଓ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସୁଭଦ୍ରା ହିତାଧିକାରୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ପରିସଂଖ୍ୟାନ ପ୍ରଦାନ କରିବା ସହ ମହିଳା ସଶକ୍ତୀକରଣ ଏବଂ ମହିଳାମାନଙ୍କ ବିଭିନ୍ନ କ୍ଷେତ୍ରରେ ଯୋଗଦାନ, ଆର୍ଥିକ ଉନ୍ନତି କରଣ ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିବା ସୁଭଦ୍ରାର ଦ୍ୱିତୀୟ କିସ୍ତି ପ୍ରଦାନର ଲାଇଭ ଷ୍ଟ୍ରିମିଙ୍ଗ କରାଯାଇ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ନିମନ୍ତେ ପ୍ରେରିତ କରାଗଲା।
ଏହା ସହିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ ହୋଇଥିବା ରଚନା, ଚିତ୍ରାଙ୍କନରେ ଭାଗନେଇ ବିଭିନ୍ନ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ତତ୍ ସହିତ ସଙ୍ଗୀତ ଓ ରଙ୍ଗୋଲିରେ ଅଙ୍ଗନୱାଡି କର୍ମୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ତତ୍ ସହିତ ଜିଲ୍ଲାର ବେଷ୍ଟ ସିଡିପିଓ, ସୁପରଭାଇଜର, ଏଡବ୍ଲୁଡବ୍ଲୁ, ଏଡବ୍ଲୁଏଚମାନଙ୍କୁ ପୁରସ୍କାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁଷମା ମହାନ୍ତି ପରିଚଳନା କରିଥିଲେ।