ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ପାରାଦୀପ, ୦୮/୦୩: ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ମଧୁବନସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀ କର୍ମଚାରୀ ମାନଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳାମାନେ ଅତି ଉତ୍ସାହ ସହକାରେ ପାଳନ କରିଥିଲେ। ମହିଳାମାନେ କେବଳ ପରିବାର ମଧ୍ୟରେ ସୀମିତ ନ ରହି ରାଜ୍ୟ ତଥା ଦେଶ ଓ ବିଶ୍ୱ ସ୍ତରରେ ସେମାନଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମହିଳାମାନଙ୍କ ପାଖରେ ସବୁ କ୍ଷେତ୍ରରେ କାର୍ଯ୍ୟ କରିବାର ଦକ୍ଷତା, ଅଭିଜ୍ଞତା ସହିତ ସକାରାତ୍ମକ ମନୋଭାବ ରହିଛି।କାର୍ଯ୍ୟାଳୟ ହେଉ କି ପରିବାର ମହିଳା ଓ ପୁରୁଷ ମାନଙ୍କ ମଧ୍ୟରେ କୌଣସି ଲିଙ୍ଗଗତ ପାର୍ଥକ୍ୟ ରହିବା ଉଚିତ୍ ନୁହେଁ। କେବଳ ଆଜିର ଦିନରେ ଉତ୍ସବ ପାଳନ କରିବା ସମ୍ମାନ ଦେବା ଉଚିତ୍ ନୁହେଁ, ବରଂ ସବୁ ଦିନ ସବୁ ସମୟରେ ମହିଳାମାନଙ୍କୁ ଉଚିତ୍ ସମ୍ମାନ ଓ ଅଧିକାର ମିଳିବ ଉଚିତ୍ ବୋଲି କମ୍ପାନୀର ବରିଷ୍ଠ ଅଧିକାରୀ ତଥା ଅତିଥିମାନେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ମହିଳାମାନଙ୍କୁ ନେଇ ରାମ୍ପ ସୋ, ମ୍ୟୁଜିକ ବଲ, ହିଡେନ ଟ୍ୟାଲେଣ୍ଟ , ଓ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା।

ମ୍ୟୁଜିକ୍ ବଲ ପ୍ରତିଯୋଗିତାରେ ନମିତା ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥି ସହିତ ହିଡେନ ଟ୍ୟାଲେଣ୍ଟ ବିଭାଗରେ ମିତାଲି ଦାସ, ମୋନାଲିସା ରାଉତ ଓ ସଶ୍ମିତା ଦାସ   ବିଜୟୀ ହୋଇଥିଲେ। ସଂଗୀତରେ ପିଆଲି ଜେନା, ନୃତ୍ୟରେ ରାଜଶ୍ରୀ ବିଶ୍ୱାଳ ଓ ବକ୍ତୃତାରେ ଲୋପାମୁଦ୍ରା ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ମିସ ଉତ୍କଳ ଭାବେ ପିଆଲି ପ୍ରିୟମ୍ବଦା ଜେନାଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସମସ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ମହିଳା କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ସମସ୍ତ ମହିଳାମାନେ କେକ୍ କାଟି ପରସ୍ପରକୁ ଖୁଆଇ ମହିଳା ଦିବସର ଶୁଭେଚ୍ଛା ଜଣାଇଥିଲେ।

ଏହି ଉତ୍ସବରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲର ବରିଷ୍ଠ ଅଧିକାରୀମାନଙ୍କ ସହିତ ସମସ୍ତ ବିଭାଗର ମୁଖ୍ୟ ଓ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।