ଭୁବନେଶ୍ୱର, ୧୧/୦୩: ଜୁନ୍ ୨୦୨୪ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୮ ମାସ ମଧ୍ୟରେ ମୋଟ ୧୯ଟି ମୋ ବସ୍ ଦୁର୍ଘଟଣା ଘଟିଛି। ଭୁବନେଶ୍ୱର, କଟକ ଓ ପୁରୀରେ ମୋ ବସ୍ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି।
୨୦୨୪ ଜୁନ୍ ମାସରୁ ଆଜି ପର୍ଯ୍ୟନ୍ତ ମୋ ବସ୍ ଯୋଗୁଁ ହେଉଥିବା ଦୁର୍ଘଟଣାର ସଂଖ୍ୟା ଓ ସ୍ଥାନ ଅନୁଯାୟୀ ବିବରଣୀ ଉପରେ ଲିଖିତ ପ୍ରଶ୍ନ ଉଠାଇଥିଲେ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଦୁର୍ଘଟଣା ହ୍ରାସ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମଧ୍ୟ ପଚାରିଥିଲେ।
ମନ୍ତ୍ରୀ କହିଥିଲେ ଯେ, ମୋ ବସ୍ ଦୁର୍ଘଟଣା ହ୍ରାସ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାର ଅଂଶ ସ୍ୱରୂପ ପ୍ରତ୍ୟେକ ବସ୍ ରେ ସ୍ପିଡ୍ ଗଭର୍ଣ୍ଣର ସହ ଅଗ୍ନି ନିର୍ବାପକ ଯନ୍ତ୍ର, କ୍ୟାମେରା, ଜରୁରୀକାଳୀନ ପ୍ରସ୍ଥାନ, ପ୍ରାଥମିକ ଚିକିତ୍ସା କିଟ୍ ଇତ୍ୟାଦି ଲଗାଯାଇଛି।
ଡ୍ରାଇଭର ଦକ୍ଷତା ମୂଲ୍ୟାଙ୍କନ କରାଯାଉଛି। ଡ୍ରାଇଭର ମାନଙ୍କୁ ଅଧିକ ତାଲିମ ଦେବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣର ଡ୍ରାଇଭିଂ ତାଲିମ ପ୍ରତିଷ୍ଠାନ (ଡିଟିଆଇ)କୁ ପଠାଯାଉଛି। ମଦ୍ୟପାନ କରି ଗାଡି ଚାଳନା ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ କ୍ୟାପଟେନମାନଙ୍କୁ ନିୟନ୍ତ୍ରଣ ଓ ମୂଲ୍ୟାଙ୍କନ କରିବା ପାଇଁ ନଭେମ୍ବର ୨୦୨୪ରୁ ଦିନକୁ ଦୁଇଥର ବ୍ରେଥ୍ ଆନାଲାଇଜର ପରୀକ୍ଷା କରାଯାଉଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଦୁର୍ଘଟଣା ପାଇଁ ଦାୟୀ ଥିବା ୮ ଜଣ କ୍ୟାପଟେନମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେହିପରି ଦୁର୍ଘଟଣାରେ ପୀଡ଼ିତଙ୍କୁ କ୍ଷତିପୂରଣ ବାବଦରେ ୩,୦୫,୦୦୦/- ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।