ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବିଶ୍ୱାସଘାତକତାରୁ ଆରମ୍ଭ ବେଲୁଚିସ୍ତାନର ସ୍ୱାଧୀନତା ଆନ୍ଦୋଳନ

ପଢନ୍ତୁ ବିକାଶଠୁ ଅନତି ଦୂରରେ ଥିବା ବେଲୁଚିସ୍ତାନର ସଂଘର୍ଷର କାହାଣୀ

ପାକିସ୍ତାନରୁ ଅଲଗା ହେବାକୁ ଚାହୁଁଛି ବେଲୁଚିସ୍ତାନ। ଯେଉଁଥିପାଇଁ ଏବେ ରକ୍ତମୁଖା ହୋଇ ପଡିଛି। ବିଚ୍ଛିନ୍ନତାବାଦୀ ଆତଙ୍କବାଦୀ ସଂଗଠନ ବେଲୁଚ ଲିବରେସନ୍ ଆର୍ମି (ବିଏଲଏ) ସ୍ୱତନ୍ତ୍ର ପ୍ରଦେଶ ଦାବିରେ ଗତ ୧୧ ତାରିଖଠାରୁ ଜାଫର ଏକ୍ସପ୍ରେସକୁ ହାଇଜାକ୍ କରି ନେଇଛି। ତେବେ ଜାଣିଛନ୍ତି କି ଏହି ଲଢେ଼ଇ କେବେଠୁ ଆରମ୍ଭ ହୋଇଛି? କ’ଣ ରହିଛି ଏହାର ମୂଳ କାରଣ? କାହିଁକି ବେଲୁଚିସ୍ତାନ ସ୍ୱତନ୍ତ୍ର ପ୍ରଦେଶ ଦାବି କରୁଛି?

ପାକିସ୍ତାନର ୪ଟି ପ୍ରଦେଶ ମଧ୍ୟରୁ ସବୁଠାରୁ ବଡ଼ ଏବଂ ସବୁଠାରୁ କମ୍ ଜନସଂଖ୍ୟା ବିଶିଷ୍ଟ ପ୍ରଦେଶ ହେଉଛି ବେଲୁଚିସ୍ତାନ। ଏହା ସଦାବେଳେ ପାକିସ୍ତାନ ଠାରୁ ଅଲଗା ହେବାକୁ ଚାହିଁଛି। ଯେଉଁଥିପାଇଁ ଲଢେଇ ଜାରି ରଖିଛି ବେଲୁଚିସ୍ତାନ ଲିବରେସନ ଆର୍ମି। ଏହି ପ୍ରଦେଶରେ ଖୁବ କମ୍ ଶାନ୍ତି ଦେଖିବାକୁ ମିଳେ। ବିକାଶ ଏଠାରେ ଅପହଞ୍ଚ।

ପାକିସ୍ତାନ ଠାରୁ ଅଲଗା ହେବା ଦାବିରେ ମାର୍ଚ୍ଚ ୧୧ ତାରିଖରେ ବେଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲଏ)ର ଆତଙ୍କବାଦୀମାନେ କ୍ୱେଟ୍ଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ହାଇଜାକ କରିଥିଲେ। ଏଥିରେ ୫୦୦ ଜଣ ଯାତ୍ରୀ ରହିଥିବା ବେଳେ ବେଲୁଚିସ୍ତାନର ନାଗରିକମାନଙ୍କୁ ଛାଡି ଦେଇଥିବା ବେଳେ ପାକିସ୍ତାନର ସେନା ଅଧିକାରୀଙ୍କୁ ବନ୍ଧକ ରଖିଥିଲେ। ବିଏଲଏ ୧୦୦ ଜଣ ପାକିସ୍ତାନ ସେନା ଅଧିକାରୀଙ୍କୁ ହତ୍ୟା କରିଥିବା ଦାବି କରିଥିଲା। ହେଲେ ପାକିସ୍ତାନ ସରକାର ବିଏଲଏ ୨୧ ଜଣ ଯାତ୍ରୀଙ୍କୁ ହତ୍ୟା କରିଥିବା କହିଥିଲେ।

ବିଦ୍ରୋହର ମୂଳରେ ରହିଛନ୍ତି ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା। ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବିଶ୍ୱାସଘାତକତା ଯୋଗୁଁ ଏହି ବିଦ୍ରୋହ ତେଜିବାରେ ଲାଗିଛି।

୧୯୪୭ ମସିହାରେ ପାକିସ୍ତାନ ବ୍ରିଟିଶ ସରକାରଙ୍କ କବଳରୁ ମୁକ୍ତ ହେବା ସହ ଭାରତଠାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ କରିଥିଲା। ଏହାର ବର୍ଷେ ପରଠାରୁ ଅର୍ଥାତ୍ ୧୯୪୮ ମସିହାରୁ ବେଲୁଚସ୍ତାନ ଜାତୀୟତାବାଦୀମାନେ ପାକିସ୍ତାନ ବିରୋଧରେ ସ୍ବର ଉତ୍ତୋଳନ କରି ଆସିଛନ୍ତି। ୧୯୫୮-୫୯, ୧୯୬୨-୬୩, ୧୯୭୩-୭୭ରେ ବେଲୁଚିସ୍ତାନରେ ହିଂସାତ୍ମକ ସ୍ୱାଧୀନତା ଆନ୍ଦୋଳନ ଦେଖିବାକୁ ମିଳିଥିଲା। କିନ୍ତୁ ୨୦୦୩ ମସିହାରୁ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି।

ବେଲୁଚିସ୍ତାନ ଏକ ଖଣିଜ ସମୃଦ୍ଧ ପ୍ରଦେଶ। କିନ୍ତୁ ପାକିସ୍ତାନରେ ପଞ୍ଜାବ ପ୍ରଭାବ ରାଜନୀତି ଯୋଗୁଁ ବେଲୁଚିସ୍ତାନ ସବୁବେଳେ ଅବହେଳା ମନେ କରିଥାଏ। ଦେଶକୁ ଖଣିଜ ପଦାର୍ଥ ଯୋଗାଇ ମଜବୁତ କରୁଥିବା ସହ ରାଜସ୍ୱ ଆଦାୟରେ ବେଲୁଚିସ୍ତାନର ପ୍ରମୁଖ ଭୂମିକା ରହିଥିବା ବେଳେ ବେଲୁଚି ନାଗରିକମାନେ କିନ୍ତୁ ଆର୍ଥିକ ଅଭାବର ଶିକାର ହୁଅନ୍ତି ଓ ଲୋକମାନେ ଅଣଦେଖା କରୁଥିବା ଅଭିଯୋଗ ଆଣନ୍ତି।

ବେଲୁଚି ନାଗରିକଙ୍କ ଆକ୍ରୋଶର ଅନ୍ୟତମ ଟାର୍ଗେଟ ହେଉଛି ଚୀନ ସହାୟତାରେ ପାକିସ୍ତାନ ନିର୍ମାଣ କରୁଥିବା ଗ୍ୱାଦର ବନ୍ଦର। ଗ୍ୱାଦର ପୋର୍ଟ ଚାଇନା-ପାକିସ୍ତାନ କରିଡରର ଏକ ଅଂଶବିଶେଷ। ଯାହାକୁ ବେଲୁଚି ନାଗରିକମାନେ ବିରୋଧ କରିବା ସହ ଚୀନର ଇଞ୍ଜିନିୟରମାନଙ୍କୁ ବେଲୁଚ ଆତଙ୍କବାଦୀ ଗୋଷ୍ଠୀ ବହୁ ଥର ଆକ୍ରମଣ କରିଛନ୍ତି।

ବେଲୁଚ ଜାତୀୟତାବାଦୀ ଆନ୍ଦୋଳନର ନେତୃବୃନ୍ଦଙ୍କ ମଧ୍ୟରେ ମତାନ୍ତର ଦେଖା ଦେଉଥିବାରୁ ସ୍ୱାଧୀନତା ଆନ୍ଦୋଳନର ଲକ୍ଷ୍ୟ ସଠିକ୍ ଗତି ଦେଇ ଯାଇ ପାରୁନାହିଁ। ତେବେ ୨୦୦୪ରେ ପାକିସ୍ତାନୀ ସେନା ଦ୍ୱାରା ବେଲୁଚି ଆଦିବାସୀ ନେତା ଆକବର ଖାନ୍ ବୁଗତିଙ୍କୁ ହତ୍ୟା କରାଯିବା ପରେ ଏହି ବିଦ୍ରୋହ ଆହୁରି ତେଜିଛି। ବୁଗତି ଅଧିକ ସ୍ୱାଧୀନତା, ସମ୍ବଳ ନିୟନ୍ତ୍ରଣ ଏବଂ ବେଲୁଚିସ୍ତାନର ପ୍ରାକୃତିକ ଗ୍ୟାସରୁ ମିଳୁଥିବା ରାଜସ୍ୱର ଉଚିତ ଅଂଶ ନିଜ ଅଞ୍ଚଳର ବିକାଶ କାର୍ଯ୍ୟରେ ଲଗାଇବା ପାଇଁ ଦାବି କରି ଆସୁଥିଲେ।

 

ବେଲୁଚିସ୍ତାନ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା ଏହିପରି….

୧୯୪୭ ମସିହାରେ ଭାରତରୁ ପାକିସ୍ତାନ ଅଲଗା ହେବା ପରେ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ ହୋଇଥିଲା। ବେଲୁଚିସ୍ତାନ ଚାରିଟି ଦେଶୀୟ ରାଜ୍ୟ କଲାତ, ଖାରାନ, ଲାସ ବେଲା ଏବଂ ମକରନକୁ ନେଇ ଥିଲା। ସେମାନଙ୍କ ପାଖରେ ଭାରତ କିମ୍ବା ପାକିସ୍ତାନ ସହ ମିଶିବା ବ୍ୟତୀତ ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ବିକଳ୍ପ ଦିଆଯାଇଥିଲା। ହେଲେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରରୋଚନାରେ କଲାତ ବ୍ୟତୀତ ଅନ୍ୟ ତିନୋଟି ରାଜ୍ୟ ପାକିସ୍ତାନ ସହ ମିଶିଯାଇଥିଲେ। ତେବେ ଖାନ୍ ମୀର ଅହମ୍ମଦ ୟାର୍ ଖାନ୍ (କଲାତର ଖାନ୍ ନାମରେ ପରିଚିତ)ଙ୍କ ଅଧୀନରେ ଥିବା କଲାତ ସ୍ୱାଧିନତା ବଜାୟ ରଖିବାକୁ ଚାହିଁଥିଲେ।

୧୯୪୬ ମସିହାରେ କଲାତ ଆଇନ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିବା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ଲର୍ଡ ମାଉଣ୍ଟବ୍ୟାଟେନ୍, କଲାତର ଖାନ୍ ଏବଂ ଜବାହରଲାଲ ନେହେରୁଙ୍କ ମଧ୍ୟରେ ବୈଠକ ବସିଥିଲା। ଏଥିରେ କଲାତର ସ୍ୱାଧୀନତାକୁ ମଞ୍ଜୁରୀ ମିଳିଥିଲା। ଜିନ୍ନାଙ୍କ ଅନୁରୋଧକ୍ରମେ ଖାରାନ ଓ ଲାସ୍ ବେଲାକୁ କଲାତ ସହିତ ମିଶାଇ ଏକ ସମ୍ପୂର୍ଣ୍ଣ ବେଲୁଚିସ୍ତାନ ଗଠନ କରାଯିବାର କଥା ହୋଇଥିଲା। ଏବଂ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ କଲାତ ସ୍ୱାଧୀନତା ଘୋଷଣା କରିଥିଲା।

କଲାତକୁ ଏକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ଘୋଷଣା କରାଯାଇଥିଲେ ମଧ୍ୟ ସେପ୍ଟେମ୍ବର ୧୨ରେ କଲାତକୁ ଅନ୍ତର୍ଜାତୀୟ ଦାୟିତ୍ୱ ମିଳି ପାରିବ ନାହିଁ ବୋଲି ବ୍ରିଟିଶ ସ୍ମାରକପତ୍ରରେ କୁହାଯାଇଥିଲା। ଅକ୍ଟୋବର ୧୯୪୭ରେ ଜିନ୍ନା ଖାନ ଅଫ୍ କଲାତଙ୍କୁ ପାକିସ୍ତାନ ସହ ମିଶିବା ପାଇଁ କହିଥିଲେ ହେଁ ସେ ଏହି ପ୍ରସ୍ତାବକୁ ଏଡାଇ ଯାଇଥିଲେ। ହେଲେ, ଏହି ମାମଲାରେ ଭାରତର ସହାୟତା ଲୋଡ଼ିଥିଲେ ହେଁ ଭାରତ କୌଣସି ପ୍ରକାର ସହାୟତା କରିନଥିଲା। ଯେଉଁଥିପାଇଁ ଖାନ ଅଫ୍ କଲାତଙ୍କୁ ପରିଶେଷରେ ବାଧ୍ୟରେ ମୁଣ୍ଡ ନୁଆଁଇବାକୁ ପଡିଥିଲା।

୧୯୪୮ ମସିହା ମାର୍ଚ୍ଚ ୨୬ରେ ପାକିସ୍ତାନୀ ସେନା ବେଲୁଚ ଉପକୂଳ ଅଞ୍ଚଳକୁ ଯାଇ ଖାନ ଅଫ୍ କଲାତଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। କିନ୍ତୁ ତାଙ୍କ ଭାଇ ପ୍ରିନ୍ସ ଅବଦୁଲ କରିମ୍ ୧୯୪୮ରେ ପାକିସ୍ତାନ ବିରୋଧରେ ପ୍ରଥମ ସଶସ୍ତ୍ର ବିଦ୍ରୋହର ନେତୃତ୍ୱ ନେଇଥିଲେ। ଯଦିଓ ବିଦ୍ରୋହକୁ କିଛି ସମୟ ମଧ୍ୟରେ ଦମନ କରାଗଲା, ତଥାପି ସେହିଦିନଠୁ ବେଲୁଚ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇଛି।

ବେଲୁଚିସ୍ତାନର ଅନିଚ୍ଛା ସତ୍ତ୍ବେ ଏହାକୁ ପାକିସ୍ତାନ ସହ ମିଶାଇ ଦିଆଯାଇଥିଲା। ଯାହା ବିଶ୍ୱାସଘାତକତା ହୋଇଥିବା ବେଲୁଚିସ୍ତାନ କହିଥିଲା। ୭୫ ବର୍ଷ ପରେ ମଧ୍ୟ ଏହି ଆନ୍ଦୋଳନ ବୃଦ୍ଧି ପାଉଛି ବରଂ କମୁନାହିଁ।

ଏହା ପରେ ୧୯୫୪ ମସିହାରେ ପାକିସ୍ତାନ ଓ୍ଵାନ୍ ୟୁନିଟ୍ ସ୍କିମ୍ ଆରମ୍ଭ କରିଥିଲା। ଯାହା ଦ୍ୱାରା ଏହାର ପ୍ରଦେଶଗୁଡ଼ିକର ପୁନର୍ଗଠନ କରାଯାଇଥିଲା। ଗୋଟିଏ ୟୁନିଟ୍ ଅଧୀନରେ ଥିବା ଅନ୍ୟ ପ୍ରଦେଶ ସହ ବେଲୁଚିସ୍ତାନର ମିଶ୍ରଣ ଫଳରେ ଏହାର ସ୍ୱାଧୀନତା ହ୍ରାସ ପାଇଥିଲା। ଏହାକୁ ନେଇ ବେଲୁଚ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କଲାତର ଖାନ ନବାବ ନୌରୋଜ ଖାନ ବେଲୁଚିସ୍ତାନକୁ ୧୯୫୮ରେ ସ୍ୱାଧୀନତା ଘୋଷଣା କରିଥିଲେ ଏବଂ ପାକିସ୍ତାନୀ ସେନା ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ।

୧୯୫୯ ମସିହାରେ ପାକିସ୍ତାନ ନୌରୋଜ ଖାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବୁଝାମଣା କରିବାକୁ ଡାକିଥିଲା। ହେଲେ, ଧୋକାରେ ବୁଝାମଣା ନ କରି ନୌରୋଜ ଓ ତାଙ୍କ ପୁଅଙ୍କ ସମେତ ତାଙ୍କ ପରିବାରର ୫ ଜଣ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିଲା। ଏଇଠୁ ଉଗ୍ର ରୂପ ନେଇଥିଲା ବେଲୁଚିସ୍ତାନ ସ୍ୱାଧୀନତା ଆନ୍ଦୋଳନ।

ଏହି ଆନ୍ଦୋଳନ ବୃଦ୍ଧି ପାଇ ୧୯୬୩ ମସିହାରେ ଶେର ମହମ୍ମଦ ବିଜରାଣୀ ମାରିଙ୍କ ନେତୃତ୍ୱରେ ବିଦ୍ରୋହ ତେଜିଥିଲା। ୧୯୬୯ ମସିହାରେ ବନ୍ଦୀ ହୋଇଥିବା ବେଲୁଚି ଜାତୀୟତାବାଦୀଙ୍କୁ ମୁକ୍ତ କରାଯାଇ ଏହି ବିଦ୍ରୋହକୁ ଶେଷ କରାଯାଇଥିଲା।

୧୯୭୦ ମସିହାରେ ଗୋଟିଏ ୟୁନିଟ୍ ନୀତି ଉଚ୍ଛେଦ ହେବା ପରେ ବେଲୁଚିସ୍ତାନକୁ ୪ଟି ପ୍ରଦେଶ ମଧ୍ୟରୁ ଅନ୍ୟତମ ଭାବେ ମାନ୍ୟତା ମିଳିଥିଲା।

୧୯୭୧ ମସିହାରେ ବେଲୁଚି ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ସବୁଠୁ ବଡ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ୧୯୭୧ ମସିହାରେ ପାକିସ୍ତାନଠାରୁ ବାଂଲାଦେଶ (ପୂର୍ବ ପାକିସ୍ତାନ)ର ସ୍ୱାଧୀନତା ହିଁ ବେଲୁଚିସ୍ତାନରେ ସ୍ୱତନ୍ତ୍ର ସ୍ୱାଧୀନତା ଦାବି ଅଧିକ ତୀବ୍ର କରିଥିଲା। କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକାର ଅଲ୍ଲୀ ଭୁଟ୍ଟୋ ଏହି ଦାବିକୁ ଅଣଦେଖା କରିଥିଲେ। ଯାହା ପରେ ଆନ୍ଦୋଳନ ଜୋର ଧରିଥିଲା।

୧୯୭୩ ମସିହାରେ ଭୁଟ୍ଟୋ ଆକବର ଖାନ୍ ବୁଗତିଙ୍କ ନେତୃତ୍ଵରେ ଚାଲିଥିବା ବେଲୁଚିସ୍ତାନ ପ୍ରାଦେଶିକ ସରକାରକୁ ଗ୍ରହଣ କରିନଥିଲେ ଏବଂ ବଲୋଚ ବିଦ୍ରୋହୀଙ୍କ ଉଦ୍ଦେଶ୍ୟରେ ଇରାକ ଦୂତାବାସରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଥିବା ଅଭିଯୋଗ ଦର୍ଶାଇ ଏକ ବଡ଼ ଧରଣର ସାମରିକ ଅଭିଯାନ ଘୋଷଣା କରିଥିଲେ। ଫଳରେ ୧୯୭୭ ପର୍ଯ୍ୟନ୍ତ ଚାରି ବର୍ଷ ଧରି ସଶସ୍ତ୍ର ବିଦ୍ରୋହ ହୋଇଥିଲା।

ମାରି, ମେଙ୍ଗଲ ଏବଂ ବୁଗତି ଆଦିବାସୀ ମୁଖ୍ୟଙ୍କ ନେତୃତ୍ୱରେ ପାଖାପାଖି ୫୫ ହଜାର ବେଲୁଚ ଆଦିବାସୀ ୮୦ ହଜାର ପାକିସ୍ତାନୀ ସୈନ୍ୟଙ୍କ ବିରୋଧରେ ଲଢ଼େଇ କରିଥିଲେ। ପାକିସ୍ତାନ ପ୍ରତି ଆକ୍ରମଣ କରି ବେଲୁଚର ହଜାର ହଜାର ନାଗରିକଙ୍କ ଉପରେ ବୋମା ମାଡ କରି ହତ୍ୟା କରିଥିଲା।

ସଂଘର୍ଷ ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ପଡ଼ୋଶୀ ରାଷ୍ଟ୍ର ଇରାନ ନିଜ ଅଞ୍ଚଳରେ ବେଲୁଚ ସ୍ୱାଧୀନତା ଆନ୍ଦୋଳନ ତେଜିବା ଆଶଙ୍କା କରିଥିଲା। ଯେଉଁ ଡରରେ ପାକିସ୍ତାନକୁ ସାମରିକ ସହାୟତା ପ୍ରଦାନ କରିଥିଲା ଇରାନ।

ଏହାରି ମଧ୍ୟରେ ୧୯୭୭ମସିହାରେ ପାକିସ୍ତାନର ଜେନେରାଲ ଜିଆ-ଉଲ୍-ହକ୍ ଏକ ସାମରିକ ବିଦ୍ରୋହରେ ଭୁଟ୍ଟୋଙ୍କୁ ଗାଦିଚ୍ୟୁତ କରିଥିଲେ। ପରେ ଆଦିବାସୀମାନଙ୍କୁ ସର୍ବକ୍ଷମା କରି ବେଲୁଚିସ୍ତାନରୁ ସେନା ପ୍ରତ୍ୟାହାର କରି ଆନ୍ଦୋଳନ ଉପରେ ଏଇଠି ରୋକ ଲାଗିଥିଲା।

ଏହା ପରେ ବି ଆନ୍ଦୋଳନ ଲାଗି ରହିଛି। ପାକିସ୍ତାନଠାରୁ ଅଲଗା ହେବା ଉଦ୍ଦେଶ୍ୟରେ ପାକ୍ ନାଗରିକ ତଥା ଅଣ ବେଲୁଚ ନାଗରିକଙ୍କୁ ହତ୍ୟା କରାଯାଇଛି। ୨୦୦୯ ମସିହାରେ ବେଲୁଚ ନେତା ବ୍ରହମଦାଘ ଖାନ ବୁଗତି ପାକିସ୍ତାନ ନାଗରିକଙ୍କୁ ହତ୍ୟା କରିବା ପାଇଁ ଆହ୍ୱାନ ଦେବା ପରେ ପାକିସ୍ତାନର ସେନା ଅଧିକାରୀଙ୍କ ସମେତ ସାଧାରଣ ଲୋକଙ୍କୁ ହତ୍ୟା କରିବାକୁ ପଛାଉ ନାହିଁ ବିଏଲଏ।