ଓଡ଼ିଆ କବି ରମାକାନ୍ତ ରଥଙ୍କ ବିୟୋଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଶୋକ ପ୍ରକାଶ
ସ୍ୱର୍ଗତ ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଏ: ମନ୍ତ୍ରୀ
ଭୁବନେଶ୍ୱର, ୧୬/୦୩: ପରଲୋକରେରେ ଓଡ଼ିଆ ସାହିତ୍ୟର ଆଧୁନିକ ସ୍ରଷ୍ଟା ରମାକାନ୍ତ ରଥ। ଆଜି ସକାଳେ ଖାରବେଳ ନଗର ସ୍ଥିତ ବାସଭବନରେ ୯୦ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱର୍ଗତ ରଥଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, “ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ ଓଡ଼ିଆ ସାହିତ୍ଯ ଜଗତ ପାଇଁ ଅପୂରଣୀୟ କ୍ଷତି। ଜଣେ ଦକ୍ଷ ପ୍ରଶାସକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ରଚିତ ଅନେକଗୁଡ଼ିଏ କବିତା ସଂକଳନ ବେଶ୍ ପାଠକୀୟ ଶ୍ରଦ୍ଧା ସାଉଁଟି ପାରିଥିଲା। ତାଙ୍କର କବିତା ସଂକଳନ “ସପ୍ତମ ଋତୁ” ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ରମାକାନ୍ତ ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଏ। ସାହିତ୍ଯ ଜଗତର ଏଭଳି ଜଣେ ମହାମନିଷୀଙ୍କ ପରଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଭଗବାନ ମହାନ ଆତ୍ମାକୁ ତାଙ୍କ ପାଦପଦ୍ମରେ ଶରଣ ଦିଅନ୍ତୁ।”