ଅନୁଗୁଳ, ୧୬/୦୩: ଅନୁଗୁଳ ଜିଲ୍ଲାର ନିଶା ସ୍ଥିତ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରେଇ ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଗ୍ରାମ ନିକଟବର୍ତ୍ତୀ ଏକ ମହୁଲ ବଣରୁ ଜଣେ ୫ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁକନ୍ୟାକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ପଟାଟାଙ୍ଗ ଗ୍ରାମର ରଞ୍ଜନ ସାୟ ଗତ ୮ ବର୍ଷ ଧରି ନିଜ ପତ୍ନୀ ଓ ୫ ବର୍ଷର ଝିଅକୁ ନେଇ ପିଢଖମଣ ଗ୍ରାମରେ ରହି ଆସୁଥିଲେ। ତେବେ ଗୁରୁବାରଠାରୁ ତାଙ୍କ ଝିଅ ନିଖୋଜ ହୋଇଯାଇଥିଲେ ଏବଂ ଶୁକ୍ରବାର ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଶନିବାର ଭୋର ୬ଟାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିଶୁକନ୍ୟାର ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ଅନୁଗୁଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଡ଼ାକ୍ତରୀ ମାଇନା କରାଯାଇଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି।