ଭୁବନେଶ୍ୱର, ୧୬/୦୩: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଆଜି ରାଜ୍ୟର ୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସାରା ରାଜ୍ୟରେ ପାରଦ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଅନେକ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଛି।
ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଛି। ଝାରସୁଗୁଡ଼ାରେ ୪୨ ଡିଗ୍ରୀ, ବଲାଙ୍ଗୀରରେ ୪୧.୭ ଡିଗ୍ରୀ, ଅନୁଗୁଳରେ ୪୧.୧ ଡିଗ୍ରୀ, ଟିଟିଲାଗଡ଼ରେ ୪୦.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦.୩ ଡିଗ୍ରୀ ଓ ଭବାନୀପାଟଣାରେ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।
ସେପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ସ୍କୁଲଗୁଡ଼ିକରେ ସକାଳୁଆ ପାଠପଢ଼ା ଏଥର ଜଲଦି ଆରମ୍ଭ ହୋଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା ପରେ ଖୁବ୍ ଶୀଘ୍ର ସଂଶୋଧିତ କାର୍ଯ୍ୟସୂଚୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।