ପାକିସ୍ତାନୀ ସେନା ଗାଡ଼ି ଉପରେ ବିଏଲଏର ଆତ୍ମଘାତୀ ବିସ୍ଫୋରଣ

ପାକିସ୍ତାନର ୯୦ ସେନା ଯବାନ ମୃତ

ପାକିସ୍ତାନ, ୧୬/୦୩: କ୍ୱେଟାରୁ ତଫତାନ ଅଭିମୁଖେ ଯାତ୍ରା କରୁଥିବା ପାକିସ୍ତାନୀ ସେନା ଗାଡ଼ି ଉପରେ ରବିବାର ବଡ଼ ଧରଣର ଆକ୍ରମଣ କରିଛି ବଲୋଚ ଲିବରେସନ ଆର୍ମି। ଏଥିରେ ୭ ଜଣ ପାକିସ୍ତାନୀ ସେନା ଯବାନ ନିହତ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି ବୋଲି ପାକିସ୍ତାନ ଦାବି କରିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଲୋଚ ଲିବରେସନ ଆର୍ମି (ବିଏଲଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଏଥିରେ ୯୦ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି।

ପାକିସ୍ତାନର ଜଣେ ଅଧିକାରୀ କହିଛନ୍ତି, କ୍ୱେଟାରୁ ତଫତାନ ଅଭିମୁଖେ ଯାତ୍ରା କରୁଥିବା ସୁରକ୍ଷା ବାହିନୀର ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ସୁରକ୍ଷା ବାହିନୀର ଏକ ବସକୁ ଆଇଇଡି ବୋଝେଇ ଗାଡ଼ି ଧକ୍କା ଦେଇଥିଲା। ଏବଂ ଅନ୍ୟ ଏକ  ରକେଟ୍-ପ୍ରୋପେଲ୍ଡ ଗ୍ରେନେଡ୍ (ଆର୍ପିଜି) ଦ୍ୱାରା ଟାର୍ଗେଟ କରାଯାଇଥିଲା।

ଘଟଣାସ୍ଥଳରୁ ମିଳିଥିବା ପ୍ରମାଣରୁ ଜଣାପଡ଼ୁଛି ଯେ ଜାଣିଶୁଣି ବିସ୍ଫୋରକ ବୋଝେଇ ଗାଡ଼ିକୁ ସାମରିକ ଗାଡ଼ି ଉପରକୁ ଧକ୍କା ଦିଆଯାଇଥିଲା। ଏହି ବିସ୍ଫୋରଣରେ ୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ଏବଂ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ୮ଟି ବସ୍ ଥିବା ବେଳେ ବିସ୍ଫୋରଣରେ ଗୋଟିଏ ବସ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ବିଏଲଏ ପକ୍ଷରୁ କୁହାଯାଇଛି। ବିଏଲଏ ଆତଙମାନେ ପ୍ରାୟ ୪୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନକୁ ଅପହରଣ କରିବାର କିଛି ଦିନ ପରେ ଏହି ଘଟଣା ଘଟିଛି।