୧୯ ମାସ ଧରି ବନ୍ଦ ରହିଥିଲା ବିଶ୍ୱର ସବୁଠୁ ଲମ୍ବା ସ୍ଥଳ ସୀମା

‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ ଜାଣନ୍ତୁ କ’ଣ ରହିଥିଲା କାରଣ

ଆଜିର‌ ତାରିଖ ୧୮ ମାର୍ଚ୍ଚ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. କୁଞ୍ଜି ଲାଲ ଦୁବେ (୧୮ ମାର୍ଚ୍ଚ ୧୮୯୬ – ୨ ଜୁନ ୧୯୭୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ, ଶିକ୍ଷାବିତ୍ ଓ ରାଜନୀତିଜ୍ଞ ଥିଲେ। ୧୯୬୪ ମସିହାରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ୧୯୯୬ରେ ଦୁବେଙ୍କ ଉପରେ ଇଣ୍ଡିଆ ପୋଷ୍ଟ ଏକ ସ୍ମାରକୀ ଟିକଟ ଜାରି କରିଥିଲା।

୨. ଶଶି କପୁର (୧୮ ମାର୍ଚ୍ଚ ୧୯୩୮ – ୪ ଡିସେମ୍ବର ୨୦୧୭), ଜଣେ ଭାରତୀୟ ଅଭିନେତା ଏବଂ ଚଳଚ୍ଚିତ୍ର ପ୍ରଯୋଜକ। ସେ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ଚାରିଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଦୁଇଟି ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ୨୦୧୧ରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ୨୦୧୪ ମସିହାରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଅଗଷ୍ଟସ୍ ଡି ମୋର୍ଗାନ୍ (୨୭ ଜୁନ୍ ୧୮୦୬ – ୧୮ ମାର୍ଚ୍ଚ ୧୮୭୧) ଜଣେ ବ୍ରିଟିଶ ଗଣିତଜ୍ଞ ଓ ତର୍କବିତ୍ ଥିଲେ। ଚନ୍ଦ୍ରରେ ଥିବା କ୍ରେଟର ଡି ମୋର୍ଗାନ୍ ତାଙ୍କ ନାମରେ ନାମିତ ହୋଇଛି ଏବଂ ସେ ଡି ମୋର୍ଗାନଙ୍କ ନିୟମ ପାଇଁ ଜଣାଶୁଣା।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୯୧୦ – ଗୋପାଳ କୃଷ୍ଣ ଗୋଖଲେ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ର ବ୍ୟବସ୍ଥା ପାଇଁ ବ୍ରିଟିଶ ବିଧାନ ପରିଷଦ ରେ ଏକ ସଂକଳ୍ପ ଆଗତ କରିଥିଲେ।

୧୯୧୯ – ଏହି ଦିନ ରାଓଲତ ଆକ୍ଟ ପାରିତ ହୋଇଥିଲା। ଏହି ଆଇନ ବ୍ରିଟିଶ ସରକାରଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ଷମତା ପ୍ରଦାନ କରିଥିଲା ଯେଉଁଠାରେ ସେମାନେ ବିନା ଶୁଣାଣିରେ କାହାକୁ ୨ ବର୍ଷ ପାଇଁ ଜେଲରେ ରଖିପାରିବେ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଅଂଶ ହୋଇଥିବା ଭାରତୀୟ ବିପ୍ଳବୀମାନଙ୍କ ସହିତ ମୁକାବିଲା କରିବା ପାଇଁ ବ୍ରିଟିଶ ସରକାର ଏହା ପ୍ରଣୟନ କରିଥିଲେ। ପ୍ରେସର ସ୍ୱାଧୀନତା ହ୍ରାସ କରିବା ଏବଂ ଜରୁରୀକାଳୀନ ପଦକ୍ଷେପକୁ ଅଧିକ ସମୟ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଧ୍ୟ ଏହି ଆଇନରେ ଆହ୍ୱାନ ଦିଆଯାଇଥିଲା।

୧୯୨୨ – ମହାତ୍ମା ଗାନ୍ଧୀଙ୍କ‌ ବିରୋଧରେ ନାଗରିକ ଅବମାନନା, ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନିୟମଉଲ୍ଲଂଘନ’ ଅଭିଯୋଗ ଥିବା ଯୋଗୁଁ ତାଙ୍କୁ ୬ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ଗାନ୍ଧିଜୀଙ୍କୁ ମାତ୍ର ୨ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା।

୧୯୩୭ – ଟେକ୍ସାସର ନ୍ୟୁ ଲଣ୍ଡନର ଏକ ସ୍କୁଲରେ ଗ୍ୟାସ ବିସ୍ଫୋରଣ ଘଟି ୨୯୪ ଜଣଙ୍କ ମୃତ୍ୟୁ ହୋଇଥିଲା।

୧୯୪୪ – ନାଜି ଜର୍ମାନୀ ହଙ୍ଗେରୀ କୁ ଦଖଲ କରିଥିଲା।

୧୯୫୯ – ଆମେରିକା ରାଷ୍ଟ୍ରପତି ଡ୍ୱାଇଟ୍ ଡି ଆଇଜେନହାୱର ହାୱାଇ ରାଜ୍ୟ ମାନ୍ୟତା ବିଲ୍ ରେ ସ୍ୱାକ୍ଷର କରିଥିଲେ ।

୧୯୬୩ ମସିହାରେ ଫ୍ରାନ୍ସ ଆଲଜେରିଆର ଏକରଠାରେ ଭୂତଳ ପରମାଣୁ ପରୀକ୍ଷଣ କରିଥିଲା।

୧୯୭୨ – ପିଆରସିର ଲୋପ ନୋରଠାରେ ଚୀନ୍ ପରମାଣୁ ପରୀକ୍ଷଣ କରିଥିଲା।

୨୦୨୦ – ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କୋଭିଡ୍-୧୯ କାରଣରୁ ଆମେରିକା-କାନାଡା ସୀମାକୁ ବନ୍ଦ କରିଦେଇଥିଲେ। ବିଶ୍ୱର ସବୁଠୁ ଲମ୍ବା ସ୍ଥଳ ସୀମା ହେଉଛି ଆମେରିକା-କାନାଡା ସୀମା।