ପୃଥିବୀପୃଷ୍ଠକୁ ଫେରୁଛନ୍ତି ସୁନୀତା ଓ ବୁଚ୍

କାଉଣ୍ଟଡାଉନ ଷ୍ଟାର୍ଟ

୯ ମାସର ଅପେକ୍ଷାର ହେବ ଅନ୍ତ

ନୂଆଦିଲ୍ଲୀ, ୧୮/୦୩: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ୯ ମାସରୁ ଅଧିକ ସମୟ ଧରି ଅଟକି ରହିବା ପରେ ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଶେଷରେ ପୃଥିବୀପୃଷ୍ଠରେ ଅବତରଣ କରିବାକୁ ଯାଉଛନ୍ତି। ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ମାର୍ଚ୍ଚ ୧୮ ଅର୍ଥାତ୍ ମଙ୍ଗଳବାର ସ୍ପେସଏକ୍ସର କ୍ରୁ ଡ୍ରାଗନ କ୍ୟାପସୁଲରେ ଆଇଏସଏସରୁ ବାହାରି ପୃଥିବୀକୁ ଯାତ୍ରା ଆରମ୍ଭ କରିବେ। ଏହି ମହାକାଶଯାନ ଆମେରିକୀୟ ଇଷ୍ଟର୍ଣ୍ଣ ଟାଇମ୍ ରାତି ୧ଟା ୫ ମିନିଟ୍ ଓ ଭାରତୀୟ ସମୟ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୫ ମିନିଟରେ ଆଇଏସଏସରୁ ବାହାରିବାର କାର୍ଯ୍ୟକ୍ରମ ରହିଛି। ଏବଂ ସେହିଦିନ ଅପରାହ୍ନ ପ୍ରାୟ ୫ଟା ୫୭ ମିନିଟ୍ ଏବଂ ଭାରତୀୟ ସମୟ ବୁଧବାର ଭୋର ୩ଟା ୨୭ ମିନିଟରେ ଫ୍ଲୋରିଡା ଉପକୂଳରେ ଅବତରଣ କରିବାର ଯୋଜନା ରହିଛି। ସେମାନଙ୍କୁ ମହାକାଶ କେନ୍ଦ୍ରରୁ ବାହାରି ପୃଥିବୀପୃଷ୍ଠରେ ପହଞ୍ଚିବା ପାଇଁ ୧୭ ଘଣ୍ଟା ସମୟ ଲାଗିବ।

ସୂଚନାଯୋଗ୍ୟ, ବୋଇଂ ଓ ନାସାର ମିଳିତ ‘କ୍ରୁ ଫ୍ଲାଇଟ ଟେଷ୍ଟ ମିଶନ ଅନୁସାରେ ସୁନୀତା ଓ ବୁଚ ୨୦୨୪ ଜୁନ ୫ରେ ମହାକାଶକୁ ଯାତ୍ରା ଆରମ୍ଭ କରିଥିଲେ। ସେମାନଙ୍କୁ ୮ ଦିନ ମଧ୍ୟରେ ଫେରିବାର ଥିଲା। ହେଲେ, ସେମାନଙ୍କୁ ନେଇ ଯାଇଥିବା ବୋଇଂ ଷ୍ଟାରଲାଇନର ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ୯ ମାସ ହେଲା ଉଭୟ ମହାକାଶରେ ଫସି ରହିଛନ୍ତି। ଯାହା ପରେ ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ମହାକାଶଯାନରେ ଉଭୟଙ୍କୁ ଫେରାଇ ଆଣିବା ପାଇଁ ନାସା ଯୋଜନା କରିଥିଲା।

ଯୋଜନା ମୁତାବକ, ଗତ ଶନିବାର ଭାରତୀୟ ସମୟ ସକାଳ ୪ଟା ୩୦ରେ ସ୍ପେସଏକ୍ସର ଫାଲକନ ୯ ରକେଟ ଜରିଆରେ ଡ୍ରାଗନ ମହାକାଶଯାନରେ ଉଡାଣ ଭରିଥିଲା। ଫ୍ଲୋରିଡାସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଏହାକୁ ଲଞ୍ଚ କରାଯାଇଥିଲା‌। ଏହା ପରେ ସୋମବାର ସକାଳ ୯ଟା ୪୦ ମିନିଟ୍ ସମୟରେ ସଫଳ ଭାବେ ଡକିଂ କରିଥିବା ବେଳେ ୧୧ଟା ୦୫ ମିନିଟ୍ ସମୟରେ ହାଚ ଖୋଲିଥିଲା। ଏହା ପରେ କ୍ରୁ-୧୦ ମିଶନର ମହାକାଶଚାରୀ ଯେପରିକି ନାସାର ଆନ୍ନି ମାକ୍ଲେନ, ନିକୋଲ ଆୟାର୍ସ, ଜାପାନର ତାକୁୟା ଓନିସି, ଋଷର କିରିଲ ପେସ୍କୋଭ ସେଠାରେ ପହଞ୍ଚି ସୁନୀତା ଓ ବୁଚଙ୍କୁ ସାକ୍ଷାତ କରିଥିଲେ। ରେସ୍କ୍ୟୁ ଟିମ୍ ପହଞ୍ଚିବା ପରେ ସୁନୀତା ଓ ବୁଚଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା।