ଚିକିଟି, ୧୮/୦୩: ପାତ୍ରପୁର ବ୍ଲକରେ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣା ସମୟରେ ପାତ୍ରପୁର ଯୋଗାଣ ଅଧିକାରୀ ବଳରାମ ଜେନା ମିଲର ଏବଂ ସମବାୟ ସମ୍ପାଦକଙ୍କ ସହ ସଲା ସୁତରା ହୋଇ ଚାଷୀ ଠାରୁ କୁଇଣ୍ଟାଲ ପ୍ରତି ୫ କେଜି ଧାନ ଅଧିକ ନେଇ ୫ କୋଟି ଟଙ୍କା ଲୁଟିବା ଦୁର୍ନୀତି ସମ୍ପର୍କରେ ଜ଼ିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ ହେବା ଏବଂ ସମ୍ପୃକ୍ତ ଯୋଗାଣ ଅଧିକାରୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଏ ଗୋଟେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବ୍ଳକ ଏବଂ ଜିଲ୍ଲା ପ୍ରଶାସନ ଉପରେ। ଚୋର ଘର ସବୁବେଳେ ଅନ୍ଧାର ନଥିବା ଭଳି ଲାଞ୍ଚୁଆ ଯୋଗାଣ ଅଧିକାରୀ ଏସ.ଏଚ.ଜି ଗ୍ରୁପଙ୍କ ଠାରୁ ଲାଞ୍ଚ ନେବା କାରନାମାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।
ଭାଇରାଲ ଭିଡ଼ିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ, ପାତ୍ରପୁର ବ୍ଲକ ଆନ୍ଧ୍ର ସୀମାନ୍ତ ବଳରାମପୁରର ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ପିଡ଼ିଏସ ଚାଉଳ ବାଣ୍ଟିବାର ନବୀକରଣ ପାଇଁ ଯୋଗାଣ ଅଧିକାରୀ ବଳରାମ ଜେନାଙ୍କ ପାଖକୁ ଯାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି କି ସମ୍ପୃକ୍ତ ଅଧିକାରୀ ଜଣକ ପିଡିଏସ ନବୀକରଣ ପାଇଁ ଖୁଲମଖୁଲା ଲାଞ୍ଚ ବାବଦରେ ଟଙ୍କା ଦାବି କରିଥିଲେ। ଦାବି ମୁତାବକ ଲାଞ୍ଚ ଟଙ୍କାରୁ ୫୦୦ ଟଙ୍କା କମ ପଡିବାରୁ ତାହା ମାଗି ରଖିବାକୁ ତାଙ୍କ ଅଫିସ ସହକର୍ମୀଙ୍କୁ କହୁଥିବା ଏବଂ ଲାଞ୍ଚ ଟଙ୍କା ଗଣୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଣୁ ଧାନ କିଣା ଦୁର୍ନୀତି ଏବଂ ଲାଞ୍ଚ ନେଉଥିବା ଭାଇରାଲ ଭିଡ଼ିଓରେ କେତେ ସତ୍ୟାସତ୍ୟ ରହିଛି ତାହାର ତଦନ୍ତ କରିବା ସହ ଏହି ଲାଞ୍ଚ ଆଦାୟ ରାକେଟରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଗଞ୍ଜାମ ଜ଼ିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢ଼ୀ ଦାବୀ କରିଛନ୍ତି। ଘଟଣା ସମ୍ପର୍କରେ ଯୋଗାଣ ଅଧିକାରୀ ବଳରାମ ଜେନାଙ୍କ ସହ ଯୋଗାଯୋଗ କରିବାରୁ ନବୀକରଣ ପାଇଁ ଚାଲାଣ ଟଙ୍କା ସେମାନେ ଦେଇଛନ୍ତି। ଘଟଣାକୁ ରାଜନୀତିକରଣ କରି ତାଙ୍କୁ ଫସା ଯାଉଥିବା ସେ ତାଙ୍କ ସଫେଇ ରେ କହିଛନ୍ତି।