୪୪ ବର୍ଷ ପରେ ମିଳିଲା ନ୍ୟାୟ

୩ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ଉତ୍ତରପ୍ରଦେଶ, ୧୮/୦୩: ଉତ୍ତରପ୍ରଦେଶର ଦିହୁଲି ଗଣହତ୍ୟା ମାମଲାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ। ୪୪ ବର୍ଷ ଧରି ନ୍ୟାୟ ଅପେକ୍ଷାରେ ଥିଲେ ପୀଡ଼ିତ। ଦୀର୍ଘ ବର୍ଷ ପରେ ମିଳିଲା ନ୍ୟାୟ। ଦିହୁଲି ଗଣହତ୍ୟା ମାମଲାରେ କୋର୍ଟ ୩ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ହିଂସାକାଣ୍ଡରେ ଦଳିତ ସମ୍ପ୍ରଦାୟର ୨୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ହତ୍ୟା ମାମଲାରେ ୨୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ସମ୍ପୃକ୍ତ ଥିବା ବେଳେ ଏବେ ୩ ଅଭିଯୁକ୍ତ ରାମସେବକ, କପ୍ତାନ ସିଂହ, ରାମପାଲଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ କପ୍ତାନ ସିଂହ, ରାମସେବକଙ୍କୁ ୨ ଲକ୍ଷ ଟଙ୍କା ଏବଂ ରାମପାଲଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଫିରୋଜାବାଦ ଜିଲ୍ଲାର ଜସରାନା ଥାନା ଅଞ୍ଚଳର ଦିହୁଲି ଗ୍ରାମରେ ଜାତି ଭିତ୍ତିକ ହିଂସାରେ ୨୪ ଜଣ ଦଳିତଙ୍କୁ ଗଣହତ୍ୟା କରାଯାଇଥିଲା। ୧୯୮୧ ମସିହା ନଭେମ୍ବର ୧୮ ତାରିଖ ସନ୍ଧ୍ୟା ୬ଟାରେ ଏହି ଘଟଣା ଘଟିଥିଲା। ସନ୍ତୋଷ ଓ ରାଧେଙ୍କ ଗ୍ୟାଙ୍ଗ ଅସ୍ତ୍ରଶସ୍ତ୍ର ଧରି ଦିହୁଲି ଗାଁରେ ପଶି ମହିଳା, ପୁରୁଷ ଓ ଶିଶୁଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଦୋଷୀମାନେ ଲୁଟ୍ ମଧ୍ୟ କରିଥିଲେ। ଏହା ପରେ ନଭେମ୍ବର ୧୯ ତାରିଖରେ ଲାୟକ ସିଂହ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ। ରାଧେ ଶ୍ୟାମ ଓରଫ ରାଧେ, ସନ୍ତୋଷ ସିଂହ ଓରଫ ସନ୍ତୋଷ ଏବଂ ଅନ୍ୟ ୨୦ ଜଣଙ୍କ ବିରୋଧରେ ଜସରାନା ଥାନାରେ ଏତଲା ରୁଜୁ ହୋଇଥିଲା। ରାଧେଶ୍ୟାମ ଓରଫ ରାଧେ, ସନ୍ତୋଷ ଚୌହାନ ଓରଫ ସନ୍ତୋଷ, ରାମ ସେବକ, ରବୀନ୍ଦ୍ର ସିଂହ, ରାମପାଲ ସିଂ, ବେଦରାମ, ମିଥୁ, ଭୁପାରାମ, ମାଣିକ ଚନ୍ଦ୍ର, ଲାଟୁରି, ରାମ ସିଂହ, ଚୁନ୍ନି ଲାଲ, ହୋରୀ ଲାଲ, ସୋନପାଲ, ଲକିକ ସିଂହ, ବନୱାରୀ, ଜଗଦୀଶ, ରେବତୀ ଦେବୀ, ଫୁଲ ଦେବୀ, କପ୍ତାନ ସିଂ, କାମ ରୁଦ୍ଦିନ, ଶ୍ୟାମ ବୀର, କୁଅଁର ପାଲ ଏବଂ ଲକ୍ଷ୍ମୀଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଘଟଣାସ୍ଥଳ ପରିଦର୍ଶନ କରି ମାମଲାର ଅନୁଧ୍ୟାନ କରିଥିଲେ।

ତେବେ ମୈନପୁରୀରୁ ଆହ୍ଲାବାଦ ପର୍ଯ୍ୟନ୍ତ ଏହି ମାମଲା କୋର୍ଟରେ ଚାଲିଥିଲା। ଏହାପରେ ୨୦୨୪ ଅକ୍ଟୋବର ୧୯ତାରିଖରେ ମାମଲାକୁ ପୁଣି ଥରେ ବିଚାର ପାଇଁ ମୈନପୁରୀ ସେସନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ଜଜଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଅଦାଲତରେ ମାମଲାର ଶୁଣାଣି ହୋଇଥିଲା। ତେବେ ଏଥିରେ ସମ୍ପୃକ୍ତ ଥିବା ଅନେକ ଅଭିଯୁକ୍ତଙ୍କର ସ୍ୱାଭାବିକ ମୃତ୍ୟୁ ହୋଇସାରିଲାଣି ଏବଂ କେତେଜଣ ଏବେ ବି ଫେରାର ଅଛନ୍ତି।

କୋର୍ଟଙ୍କ ଦ୍ୱାରା ମୃତ୍ୟୁଦଣ୍ଡାଦେଶ ପାଇଥିବା ରାମପାଲ, ରାମସେବକ ଓ କପ୍ତାନ ସିଂହ ୩୦ ଦିନ ମଧ୍ୟରେ ଫାଶୀ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିପାରିବେ। ହାଇକୋର୍ଟ ସେସନ୍ସ କୋର୍ଟଙ୍କ ନିଷ୍ପତ୍ତିର ସମୀକ୍ଷା କରିବା ପରେ ନିଜ ନିଷ୍ପତ୍ତି ନେଇ ଫାଶୀ ଦଣ୍ଡାଦେଶକୁ ବଜାୟ ରଖିପାରିବେ କିମ୍ବା ଦଣ୍ଡରେ ମଧ୍ୟ ସଂଶୋଧନ ହୋଇପାରିବ।