ମହାକାଶରେ ୨୮୬ ଦିନର ରହଣି ପରେ ପୃଥିବୀପୃଷ୍ଠକୁ ଫେରିଲେ ସୁନୀତା
ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ପ୍ରଭାବ
ଚାଲିବାରେ ହୋଇପାରେ ସମସ୍ୟା
ନୂଆଦିଲ୍ଲୀ, ୧୯/୦୩: ୯ ମାସ ଅର୍ଥାତ୍ ୨୮୬ ଦିନ ମହାକାଶରେ ରହି ୧୯୫.୨ ନିୟୁତ କିଲୋମିଟର ଦୂରତା ଅତିକ୍ରମ କରି ସୁରକ୍ଷିତ ଭାବେ ପୃଥିବୀପୃଷ୍ଠକୁ ଫେରିଛନ୍ତି ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବଚ୍ ୱିଲ୍ମୋର।
ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଦୀର୍ଘ ସମୟ ରହିବା ପରେ ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ଫ୍ଲୋରିଡ଼ା (ଆମେରିକା) ଉପକୂଳ ନିକଟରେ କ୍ରୁ-୯ ବିମାନରେ ଲ୍ୟାଣ୍ଡିଂ କରିଥିଲେ। ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ସହ ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍ ହେଗ୍ ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଥିଲେ।
ଡ୍ରାଗନ୍ ସ୍ପେସକ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳେ ତାପମାତ୍ରା ଅଧିକ ହୋଇ ଯାଇଥିଲା। ଯାହା ଫଳରେ ୭ ମିନିଟ୍ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।
୨୦୨୪ ଜୁନ୍ ୫ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ମାତ୍ର ୮ ଦିନ ଚାଲିବାର ଥିଲା। ତେବେ ବୈଷୟିକ ତ୍ରୁଟି ଯୋଗୁଁ ସେମାନେ ୯ ମାସରୁ ଅଧିକ ସମୟ ଧରି ମହାକାଶରେ ରହିଥିଲେ।
ମହାକାଶରେ ଏପରି ଦୀର୍ଘ ସମୟ ଧରି ଶୂନ୍ୟ ମାଧ୍ୟାକର୍ଷଣରେ ରହିବା ଦ୍ୱାରା ଉଭୟ ମହାକାଶଚାରୀଙ୍କ ଉପରେ ସ୍ଥାୟୀ ପ୍ରଭାବ ପଡିପାରେ। ସୁନୀତା ୱିଲିୟମ୍ସ ଅବତରଣ କରିବା ପରେ ଦୁର୍ବଳତା ଅନୁଭବ କରିବା ସହ ଚାଲିବାରେ ଅସୁବିଧା ସମ୍ମୁଖୀନ କରିପାରନ୍ତି। ହାଡ଼ ଗୁଡ଼ିକ ଦୁର୍ବଳ ହୋଇଯାଏ। ମହାକାଶରେ ଶରୀରର ସନ୍ତୁଳନ ଭାବନା ବଦଳିଯାଏ, ଯାହା ବାନ୍ତି, ମୁଣ୍ଡ ବୁଲାଇବା ଏବଂ ବିଭ୍ରାନ୍ତି ସୃଷ୍ଟି କରିଥାଏ। ଅବତରଣ ପରେ ଏହି ଲକ୍ଷଣ ଗୁଡ଼ିକ ଅଳ୍ପ ସମୟ ପର୍ଯ୍ୟନ୍ତ ଜାରି ରହିପାରେ।