ପାତ୍ରପୁର ଯୋଗାଣ ନିରୀକ୍ଷକଙ୍କ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ ଘଟଣା

ତଦନ୍ତ କଲା ୪ ଜଣିଆ ଟିମ୍

ଘଣ୍ଟ ଘୋଡ଼ାଇବା ପାଇଁ ମସୁଧା, ଭିଜିଲାନ୍ସ ତଦନ୍ତ ଦାବି

ଚିକିଟି, ୧୯/୦୩: ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାତ୍ରପୁର ଯୋଗାଣ ନିରୀକ୍ଷକ ଲାଞ୍ଚ ନେବା ଭିଡ଼ିଓ ଭାଇରାଲର ତଦନ୍ତ ପାଇଁ ୪ ଜଣିଆ କମିଟି ପାତ୍ରପୁର ବ୍ଲକରେ ପହଂଚି ତଦନ୍ତ କରିଛନ୍ତି। ତଦନ୍ତ କମିଟିରେ ସହକାରୀ ଜିଲ୍ଲାପାଳ ସୁଭସ୍ମିତା ମିଶ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ସକଳେଶ୍ୱର ଦାସ, ପାତ୍ରପୁର ବିଡ଼ିଓ ଲକ୍ଷ୍ମଣ ସୋରେନ ଏବଂ ଚିକିଟି ତହସିଲଦାର ବିଶ୍ୱରଂଜନ କଂହର ପ୍ରମୁଖ ରହିଛନ୍ତି। ଏହି ତଦନ୍ତ ଟିମ ଉପସ୍ଥିତ ରହି ଜଣ ଜଣ କରି ସମସ୍ତଙ୍କ ବୟାନ ରେକର୍ଡ କରିଛନ୍ତି। ଏହି ତଦନ୍ତ ଟିମ ଲାଞ୍ଚ ନେବା ଘଟଣାର ସତ୍ୟତା ପରଖିବା ପାଇଁ ଅଭିଯୋଗ ଆଣିଥିବା ବଳରାମପୁର ପାଣ୍ଡୁରାମ୍ମା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ବି. ରେଣୁକା ଏବଂ ସମ୍ପାଦିକା ଭାନୁମତିଙ୍କୁ ତଦନ୍ତ କମିଟି ପୃଥକ ଭାବେ ଲାଞ୍ଚ କଥା ବୁଝିବା ବେଳେ ଜଣେ ଲୋକଙ୍କ ହାତରେ ଯୋଗାଣ ଅଧିକାରୀଙ୍କୁ ଦେବା ପାଇଁ ୩୦୦୦ ଟଙ୍କା ଦେଇଥିବା ସ୍ୱୟଂ ସଭାପତି ଏବଂ ସମ୍ପାଦିକା ତଦନ୍ତ କମିଟିଙ୍କୁ କହିଲା ପରେ  ତଦନ୍ତ କମିଟି ଉକ୍ତ ମହିଳା ଗୋଷ୍ଠୀ ସଭାପତି ଏବଂ ସମ୍ପାଦକଙ୍କ ଲିଖିତ ବୟାନ ରେକର୍ଡ କରିଥିଲେ। କିନ୍ତୁ ତଦନ୍ତ କମିଟି ତଦନ୍ତ ସେଠି ଶେଷ ନ କରି ତଦନ୍ତକୁ ବାଟବଣା ପାଇଁ ଯୋଗାଣ ଅଧିକାରୀଙ୍କ ଦୋଷ ଛଡ଼ାଇଲା ଭଳି କିଛି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବୟାନ ରେକର୍ଡ କରିବା କେତେ ଯୁକ୍ତି ଯୁକ୍ତ ବୋଲି ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଜ଼ିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢ଼ୀ ପ୍ରତିକ୍ରିୟା ରଖିବା ସହ ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଶ୍ରୀଯୁକ୍ତ ପାଢ଼ୀ ଦାବୀ କରିଛନ୍ତି। ସୂଚନା ଯୋଗ୍ୟ ଏହି କି ପାତ୍ରପୁର ବ୍ଲକ ଗୁଡିପଦର ପଞ୍ଚାୟତର ବଳରାମପୁର ସ୍ଥିତ ପାଣ୍ଡୁରଙ୍ଗା-ଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପିଡ଼ିଏସ ଲାଇସେନ୍ସ ନବୀକରଣ ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ଏବଂ ଆଉ ବଳକା ୫୦୦ ଟଙ୍କା ପରେ ଆଣିକି ଦେବାକୁ ଯୋଗାଣ ନିରୀକ୍ଷକ ବଳରାମ ଜେନା କହୁଥିବାର ଭିଡ଼ିଓ ଗତ ଦୁଇଦିନ ଧରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥଲା। ଉପଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ପାତ୍ରପୁର ବ୍ଲକ ରେ  ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।