ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଅଙ୍ଗନୱାଡ଼ି ଛୁଟି ହେଲେ ହୋମ୍ ଡେଲିଭରି ହେବ ପିଲାଙ୍କ ଖାଦ୍ୟ

ଭୁବନେଶ୍ୱର, ୧୯/୦୩: ଓଡ଼ିଶାରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆସନ୍ତା ଏପ୍ରିଲ ୨ ତାରିଖରୁ ସ୍କୁଲଗୁଡ଼ିକରେ ସକାଳୁଆ ପାଠପଢ଼ା ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ସେହିପରି ଆଜିଠାରୁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯାଇଛି। ଆଗକୁ ଖରା ତାତି ବଢିଲେ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି କରାଯିବା ସହ ଛୁଆଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଖାଦ୍ୟକୁ ହୋମ୍ ଡେଲିଭରି ମାଧ୍ୟମରେ ଦିଆଯିବ। ଏ ନେଇ ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନେ ନିଷ୍ପତ୍ତି ନେବେ।

ଏହା ବ୍ୟତୀତ ବନ୍ୟା ଓ ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ମଧ୍ୟ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି‌। ଯେପରି ଅଂଶୁଘାତର ସଠିକ୍ ମୁକାବିଲା ଗ୍ରହଣ କରିହେବ, ସେ ଦିଗ ପ୍ରତି ଧ୍ୟାନ ଦିଆଯାଉଛି। ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବା ସହ ନଳକୂପ ଖନନକୁ ଗୁରୁତ୍ୱ ଦିଆଯାଉଛି। ଅଘୋଷିତ ବିଦ୍ୟୁତ କାଟ ନ କରିବା ସହ ଦିନ ଖରାବେଳେ ଓ ରାତି ସମୟରେ ବିଦ୍ୟୁତ କାଟ ନ କରିବା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।