ଖୋଲିବ ନବ ଦାସ୍ ହତ୍ୟାକାଣ୍ଡ ପେଡ଼ି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ୱର୍ଗତ ନବଦାସଙ୍କ ପରିବାର

ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ଝିଅ ଦୀପାଳି ଦାସ

ଭୁବନେଶ୍ୱର, ୧୯/୦୩: ଖୋଲିବ ନବ ଦାସ୍ ହତ୍ୟାକାଣ୍ଡ ପେଡ଼ି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ। ମୁଖ୍ୟମନ୍ତ୍ରୀ ଓ ନବ ଦାସଙ୍କ ପରିବାର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି ବୈଠକରେ ପୋଲିସ ଡ଼ିଜି ଓ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ବି ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଦେଢ଼ ଘଣ୍ଟା ଧରି ଆଲୋଚନା କରିବା ପରେ ପରେ ଦୀପାଳି ଦାସ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଆମେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛୁ। ସିବିଆଇ ତଦନ୍ତ ପାଇଁ ମଧ୍ୟ ଲିଖିତ ଅନୁରୋଧ କରିଛୁ। ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି।

ତେବେ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତାଙ୍କ ପରିବାରକୁ ପଚରାଉଚରା ଜାରି ରଖିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବାଙ୍କ ପତ୍ନୀ ମୀନତି ଦାସ ଇ-ମେଲ୍ କରିଥିଲେ‌।

ସୂଚନାଯୋଗ୍ୟ, ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ମ୍ୟୁନିସିପାଲିଟି ଅଞ୍ଚଳରେ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ସ୍ୱର୍ଗତ ନବ ଦାସଙ୍କ ଉପରକୁ ଗୁଳି ଚଳାଇଥିଲେ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ। ଏଥିରେ ନବାଙ୍କ ହୃତପିଣ୍ଡ ଓ ବାମ ପଟ ଫୁସଫୁସରେ ଗଭୀର ଆଘାତ ଲାଗିଥିଲା। ଗୁଳିକାଣ୍ଡ ପରେ ତୁରନ୍ତ ନବ ଦାସଙ୍କୁ ଝାରସୁଗୁଡା ଡାକ୍ତରଖାନା ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ, ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା‌। ଏହି ଘଟଣାରେ ଗୋପାଳ ଦାସକୁ ଗିରଫ କରାଯାଇଥିଲା। ତେବେ ଗୋପାଳ ଦାସ ପ୍ରକୃତ ଦୋଷୀ ନୁହଁନ୍ତି। ଏ ହତ୍ୟାକାଣ୍ଡ ପଛରେ ଆଉ କାହାର ହାତ ଅଛି ବୋଲି ସନ୍ଦେହ ଘନୀଭୂତ ହୋଇଥିଲା।