ବାଂଲାଦେଶ: ହଟିବେ ୟୁନୁସ କ୍ଷମତାକୁ ଆସିବ ସେନା!

ୟୁନୁସଙ୍କ ବିରୋଧରେ ତେଜୁଛି ବିଦ୍ରୋହ

ସେନାର ଜରୁରୀ ବୈଠକ ଉପରେ ବିଶ୍ୱର ନଜର

ବାଂଲାଦେଶ, ୨୫/୦୩: ବାଂଲାଦେଶରେ ଅନିଶ୍ଚିତତାରେ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତାଚ୍ୟୁତ ହେବା ପରେ ଅନ୍ତରୀଣ ସରକାର ଗଠନ କରିଥିଲେ ନୋବେଲ ବିଜେତା ମହମ୍ମଦ ୟୁନୁସ। ୨୦୨୪ ଅଗଷ୍ଟରେ ଶେଖ୍ ହାସିନାଙ୍କ ନେତୃତ୍ଵାଧୀନ ଆୱାମୀ ଲିଗ୍ ସରକାର ଭାଙ୍ଗିଯିବା ପରେ ୟୁନୁସ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ, ମହମ୍ମଦ ୟୁନୁସଙ୍କ ଉପରେ ଭରସା କରି ପାରୁନାହାନ୍ତି ବାଂଲାଦେଶବାସୀ। ତାଙ୍କ ବିରୋଧରେ ତେଜୁଛି ବିଦ୍ରୋହ। ଖୁବଶୀଘ୍ର ଦେଶକୁ ନିଜ ନିୟନ୍ତ୍ରଣକୁ ନେଇପାରେ ସେନା।

ଏହାକୁ ଦୃଷ୍ଟିରେ ରଖି ସ୍ଥିରତା ଫେରାଇ ଆଣିବାରେ ସେନାର ସମ୍ଭାବ୍ୟ ଭୂମିକା ଉପରେ ନଜର ରହିଛି। ଏ ନେଇ ସୋମବାର ୱାକର-ଉଜ୍-ଜମାନଙ୍କ ନେତୃତ୍ୱରେ ସେନାର ଏକ ଜରୁରୀ ବୈଠକ ଡକାଯାଇଛି‌। ଏହି ବୈଠକରେ ୫ ଜଣ ଲେଫ୍ଟନାଣ୍ଟ ଜେନେରାଲ, ୮ ଜଣ ମେଜର ଜେନେରାଲ (ଜିଓସି), ଇଣ୍ଡିପେଣ୍ଡେଣ୍ଟ ବ୍ରିଗେଡର କମାଣ୍ଡିଂ ଅଫିସର ଏବଂ ସେନା ମୁଖ୍ୟାଳୟର ଅଧିକାରୀଙ୍କ ସମେତ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ମୁତାବକ, ଆଗକୁ ସେନା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରେ ସେନା। ୟୁନୁସଙ୍କୁ ହଟାଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇପାରେ ସେନା ବୋଲି ଏହି ବୈଠକ ସୂତ୍ରରୁ ସୂଚନା ମିଳିଛି। ସେନା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ରାଜନୈତିକ ଦଳଙ୍କୁ ମଧ୍ୟ ନିଜ‌ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛି ସେନା।

ସେପଟେ ସେନା ଢାକାରେ ପାଟ୍ରୋଲିଂକୁ ଜୋରଦାର କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଚେକପୋଷ୍ଟ ସ୍ଥାପନ କରିଛି।