ବାଲି ମାଫିଆଙ୍କ ପରେ କିଏ ମାତିଛି ଧାମନଗରରେ

ବାଲି ଚୋରି ପରେ ଏବେ ହେଉଛି ମୋରମ ଚୋରି

ଟ୍ରାଞ୍ଜିଟ ପାସ୍ ଦେଖାଇ ନପାରି ପୋଲିସ ହାବୁଡ଼ରେ ପଡିଲେ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ହାଇୱା ଡ୍ରାଇଭର

ଧାମନଗର ୨୫/୦୩: ଧାମନଗର ତହସିଲ ଅଧିନରେ ବିଭିନ୍ନ ସ୍ଥାନରୁ ଏବେ ବେଆଇନ ଭାବେ ମାଟି ଓ ବାଲି ଚୋରା ଚାଲାଣ ହେଉଥିବାବେଳେ ଧାମନଗର ପୋଲିସ ଏବେ ପୁରା ସକ୍ରିୟ ହୋଇ ଉଠିଛନ୍ତି। ପୂର୍ବରୁ ଥାନା ଓ ତହସିଲ ଏବଂ ଖଣି ବିଭାଗର ସଲା ସୁତୁରାରେ ଏହି ବେଆଇନ କାର୍ଯ୍ୟକୁ ସହଯୋଗ କରି ଚାଲିଥିବା ବେଳେ ଏବେ ଧାମନଗର ଥାନାକୁ ନୂଆ ବଡବାବୁ ଆସିବା ପରେ ବାଲି ମାଫିଆଙ୍କ ମଧ୍ୟରେ ଛାନିଆ ପଶିଛି। ନିକଟରେ ଦୁଇଟି ବାଲି ଗାଡିକୁ ଧାମନଗର ପୋଲିସ ଜବତ କରି ମାମଲା ରୁଜୁ କରିଥିବା ବେଳେ ଏକ ସପ୍ତାହ ହେବ ଥାନାରେ ଟ୍ରକ ଅଟକି ରହିଥିଲା। ଏବେ ଥାନା ବାବୁଙ୍କ ନଜର ପଡିଛି ମୋରମ ଗାଡି ଉପରେ। ମଙ୍ଗଳବାର ଦିନ ଧାମନଗର ବଡ ବଜାରରେ ଥାନା ଅଧିକାରୀ ଗୋପାଳ କୃଷ୍ଣ ଜେନା ତିନୋଟି ହାଇୱା ଜବତ କରିଥିବା ଜଣାଯାଇଛି। ସେଥିରେ ମୋରମ ଥିବା ଜଣାଯାଇଛି। ପ୍ରକାଶ ଥାଉକି ୩ଟି ୧୦ ଚକିଆ ହାଇୱା ଓଆର-୧୬-ଇ ୦୪୫୫, ଓଡ଼ି-୦୯-ସି- ୫୯୬୧ ଏବଂ ଓଡ଼ି-୨୧-୩୯୧୮ ମୋରମ ବୋଝେଇ କରି ଆସୁଥିବା ବେଳେ ଧାମନଗର ଥାନା ଅଧିକାରୀ ଉକ୍ତ ହାଇୱାକୁ ଅଟକାଇ ଯାଞ୍ଚ କରିଥିଲେ। ତେବେ ଟ୍ରକ ଚାଳକ ଯୋଗ୍ୟ ଟ୍ରାଞ୍ଜିଟ ପାସ ବା ୱାଇ ଫର୍ମ ଦେଖାଇ ପାରିନଥିଲେ। ଏଣୁ ଥାନାକୁ ନେଇ ୩ଟି ହାଇୱା ନାମରେ ଗୋଟାଏ କେସ ୧୧୬/୨୫ରେ ମାମଲା ରୁଜୁ କରିଥିବା ବେଳେ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଗୋପାଳ କୃଷ୍ଣ ଜେନା ସୂଚନା ଦେଇଛନ୍ତି।