ବଡ଼ ବିପର୍ଯ୍ୟୟ ମୁହାଁ ଭାରତ!

ଭାରତୀୟ-ୟୁରେସିଆନ ଟେକ୍ଟୋନିକ୍ ପ୍ଲେଟ ମଧ୍ୟରେ ଧକ୍କା

ସତର୍କ କରାଇଲେ ଭୂ-ବିଜ୍ଞାନୀ

ନୂଆଦିଲ୍ଲୀ, ୦୨/୦୪: ନିକଟରେ ମିଆଁମାର ଏବଂ ଥାଇଲାଣ୍ଡରେ ୭.୭ ତୀବ୍ରତାର ଭୂମିକମ୍ପରେ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୪,୦୦୦ରୁ ଅଧିକ ଆହତ ହୋଇଥିଲେ। ପୂର୍ବରୁ ମଧ୍ୟ ମିଆଁମାରରେ ଏଭଳି ପରିସ୍ଥିତି ଆସିଥିଲା‌। ଏହା ଏକ ଭୂକମ୍ପ ପ୍ରୋନ ଅଞ୍ଚଳ ହୋଇଥିବା ବେଳେ ବହୁ ଥର ଏଭଳି ଭୟଙ୍କର ଭୂକମ୍ପର ଶିକାର ହୋଇ ସାରିଛି ମିଆଁମାର। ସଦ୍ୟତମ ଭୂମିକମ୍ପର ପ୍ରଭାବ ଏତେ ଥିଲା ଯେ, ଥାଇଲାଣ୍ଡ ଯାଏଁ ତା’ର ପ୍ରଭାବ ପଡିଥିଲା।

ଏପରି ସ୍ଥିତିରେ ଭାରତର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ହିମାଳୟ ପାଦଦେଶରେ ଭାରତର ବହୁ ଗୁଡ଼ିଏ ରାଜ୍ୟ ଅଛି। ଏଠାରେ ମଧ୍ୟ ଏଭଳି ଭୟଙ୍କର ଭୂମିକମ୍ପ ହେବାର ସମ୍ଭାବନା ଯଥେଷ୍ଟ ଅଛି ବୋଲି ବିଶେଷଜ୍ଞ ମାନେ ଆକଳନ କରି ସାରିଛନ୍ତି। ଯଦି ଭାରତ ବେଳ ହୁଁ ସତର୍କ ନ ହୁଏ, ତାହାଲେ ପଡ଼ୋଶୀ ଦେଶ ମିଆଁମାର ଭଳି ପରିସ୍ଥିତି ସାମ୍ନା କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ଭାରତରେ ବଡ଼ ଧରଣର ଭୂମିକମ୍ପ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏବଂ ଯେତେବେଳେ ଏହା ହେବ, ଦିଲ୍ଲୀ କିମ୍ବା ଗୌହାଟୀ ଭଳି ବୃହତ ଜନବହୁଳ ସହର ଉପରେ ପ୍ରଭାବ ପଡ଼ିବ। ମିଆଁମାର ଠାରୁ ଆହୁରି ବିପଜ୍ଜନକ ହୋଇପାରେ।

ଭାରତ ବିଶ୍ୱର ସବୁଠାରୁ ଭୂକମ୍ପ ପ୍ରବଣ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ହିମାଳୟରେ ଭାରତୀୟ ଓ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ଏକାଠି ଧକ୍କା ହେବା ଫଳରେ ହିମାଳୟ ପର୍ବତମାଳାରେ ପ୍ରବଳ ଚାପ ସୃଷ୍ଟି ହେଉଛି। ଆଗକୁ ବଡ଼ ଧରଣର ଭୂମିକମ୍ପ ହେବା ସହ ପ୍ରଳୟଙ୍କରୀ ସୁନାମି ଆସିବାର ସମ୍ଭାବନା ରହିଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮ରୁ ଅଧିକ ହୋଇପାରେ। ଏହି ଭୟଙ୍କର ଭୂକମ୍ପ ଭାରତର ବିପର୍ଯ୍ୟୟର କାରଣ ହେବ।

ଭାରତର ପ୍ରାୟ ୫୯ ପ୍ରତିଶତ ଲୋକ ଭୂମିକମ୍ପ ବିପଦର ସମ୍ମୁଖୀନ ହେଉଛନ୍ତି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ବିହାର ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସର୍ବାଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା ବିପଜ୍ଜନକ ଭୂମିକମ୍ପ ଅଞ୍ଚଳରେ ରହିଛି। ଭୂକମ୍ପ ଭଳି ବିପଦର ସମ୍ମୁଖୀନ ହେଉଥିଲେ ମଧ୍ୟ ଭାରତ ଏହାକୁ ପ୍ରତିରୋଧ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ଜାପାନ ଓ ଚିଲି ଭଳି ଦେଶଠାରୁ ଭାରତକୁ ଶିକ୍ଷାଲାଭ କରିବାର ଅଛି। ଏହି ଦେଶମାନେ ଯେପରି କଠୋର ବିଲ୍ଡିଂ କୋଡ୍ ଲାଗୁ କରିଛନ୍ତି, ଭାରତକୁ ମଧ୍ଯ ସେଭଳି ନିୟମ ଆଣିବାକୁ ପଡ଼ିବ।

ଭୂମିକମ୍ପ ଏକ ଦେଶର ଅର୍ଥନୀତିକୁ ନଷ୍ଟ କରିବା ସହ ଜୀବନ ନେଉଛି। ୨୦ ବର୍ଷ ମଧ୍ୟରେ ଜଳବାୟୁ ବିପର୍ଯ୍ୟୟରେ ଭାରତ ପ୍ରାୟ ୭୯.୫ ବିଲିୟନ ଡଲାର ହରାଇଛି। ଖରାପ ଭିତ୍ତିଭୂମି ନିର୍ମାଣ ସହିତ ଦ୍ରୁତ ସହରର ବିକାଶ ପରିସ୍ଥିତିକୁ ଆହୁରି ଖରାପ କରିଥାଏ। ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଥିବା କୋଠା ଗୁଡିକରେ ସୁରକ୍ଷା ବ୍ୟବସ୍ଥାର ଅଭାବ ରହିଛି।

ଭାରତରେ ଭୂକମ୍ପର ମୁକାବିଲା ପାଇଁ ବିଲ୍ଡିଂ କୋଡ଼ ଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଉଛି। ତେଣୁ ପ୍ରତ୍ୟେକ ବିଲ୍ଡିଂ ନିର୍ମାଣ ପୂର୍ବରୁ ମାନଦଣ୍ଡ ସ୍ଥିର କରିବା ଉଚିତ୍। ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ) ଗାଇଡଲାଇନ ଥିଲେ ସଠିକ୍ ରୂପାୟନ ଅଭାବରୁ ତାହା ଫଳପ୍ରଦ ହୋଇପାରୁ ନାହିଁ। ସେହିପରି ସୁଉଚ୍ଚ ଅଟ୍ଟାଳିକା ଏବଂ ବଡ଼ ବିଲଡିଂର ନିୟମିତ ଢାଞ୍ଚାଗତ ଅଡିଟ୍ କରି ସାର୍ଟିଫିକେସନର ବ୍ୟବସ୍ଥା କରିବା ଆବଶ୍ୟକ। ଅନ୍ୟପଟେ ପୁରୁଣା କୋଠାର ମରାମତି ନ କରି ନୂଆ କୋଠା ନିର୍ମାଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉନାହିଁ। ଯଦି ଏହି ପୁରୁଣା କୋଠା ସବୁ ଭୂମିକମ୍ପରେ ଭୁଶୁଡ଼ି ଯାଏ, ତାହାଲେ ମୃତାହତ ଙ୍କ ସଂଖ୍ୟା ବଢିବ।

ଯଦି ଏବେଠୁ ସତର୍କ ନ ହେବା ତାହାଲେ ୧୯୦୫ ରେ କାଙ୍ଗ୍ରା ଭୂକମ୍ପ, ୧୯୩୪ରେ ବିହାର ଭୂକମ୍ପ, ୧୯୫୦ରେ ଆସାମ ଭୂକମ୍ପ ଏବଂ ୨୦୦୧ରେ ଗୁଜରାଟ ଭୂକମ୍ପ ଭଳି ପୁଣି ଥରେ ବଡ଼ ଧରଣର ଭୂମିକମ୍ପ ହେବାର ସମ୍ଭାବନା ଯଥେଷ୍ଟ ରହିଛି ବୋଲି ଭୂବିଜ୍ଞାନୀମାନେ ଆକଳନ କରିଛନ୍ତି।