ବଲିଉଡର ଭେଟେରାନ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ

ଆସନ୍ତାକାଲି ହେବ ଶେଷକୃତ୍ୟ

ମୁମ୍ବାଇ, ୦୪/୦୪: ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇଛି। ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଏବଂ ଲିଭର ସିରୋସିସ୍ ରେ ପୀଡ଼ିତ ହୋଇ ମନୋଜ କୁମାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଜି ତାଙ୍କର ମୃତ୍ୟୁ ଘଟିଛି।

ତାଙ୍କ ବିୟୋଗରେ ଭାରତୀୟ ସିନେ ଜଗତ ସହ ସବୁରି ମହଲରେ ଶୋକର ଛାୟା ଖେଳି ଯାଇଛି। ଜଣେ ଉଦୀୟମାନ ତାରକାଙ୍କୁ ହରାଇ ଥିବାରୁ ସିନେ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଆସନ୍ତାକାଲି ମୁସ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି। ଭିଲେ ପାର୍ଲେସ୍ଥିତ ନାନାବତୀ ହସ୍ପିଟାଲ ସମ୍ମୁଖରେ ଥିବା ପୱନ ହଂସଠାରେ ପୂର୍ବାହ୍ନ ୧୧ଟାରେ ତାଙ୍କର ଅନ୍ତିମ ସଂସ୍କାର ସମାରୋହ ଅନୁଷ୍ଠିତ ହେବ।

ବର୍ତ୍ତମାନର ପାକିସ୍ତାନର ଅବୋତ୍ତାବାଦରେ ଜନ୍ମଗ୍ରହଣ କରିଥିବା ମନୋଜ କୁମାରଙ୍କ ଜନ୍ମ ନାମ ହରିକୃଷ୍ଣ ଗିରି ଗୋସ୍ୱାମୀ। ଦେଶ ବିଭାଜନ ସମୟରେ ସେ ଓ ତାଙ୍କ ପରିବାର ଭାରତର ଦିଲ୍ଲୀକୁ ଚାଲି ଆସିଥିଲେ। ୧୯୫୭ ମସିହାରେ ‘ଫ୍ୟାଶନ’ ଚଳଚ୍ଚିତ୍ର ସହିତ ସେ ଡେବ୍ୟୁ କରିଥିଲେ।

ବଲିଉଡରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୧୯୯୨ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା ଏବଂ ପରେ ୨୦୧୫ରେ ତାଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଦେଶାତ୍ମବୋଧକ ଚଳଚ୍ଚିତ୍ର ପାଇଁ ‘ଭରତ କୁମାର’ ନାମରେ ସେ ପରିଚିତ।