୧୩ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ
ଜେପ୍ ଫାଉଣ୍ଡେସନ୍ ପକ୍ଷରୁ ପିଟିସନ୍ ଦାଖଲ ହୋଇଥିଲା
ନୂଆଦିଲ୍ଲୀ, ୦୪/୦୪: ୧୩ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି। ଜଷ୍ଟିସ୍ ବିଆର୍ ଗୱାଇ ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ନ୍ୟାୟିକ ହସ୍ତକ୍ଷେପ ପରିବର୍ତ୍ତେ ଆଇନଗତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଏହି ମାମଲାର ସମାଧାନ କରାଯିବା ଉଚିତ ବୋଲି କହିଛନ୍ତି। ଜେପ୍ ଫାଉଣ୍ଡେସନ୍ ପକ୍ଷରୁ ଏହି ପିଟିସନ୍ ଦାଖଲ କରାଯାଇଥିଲା।
ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାରରେ ନିୟନ୍ତ୍ରଣ କରିବା ପାଇଁ ବାୟୋମେଟ୍ରିକ୍ ପ୍ରମାଣୀକରଣ ଭଳି ଯାଞ୍ଚ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ଏବଂ ବିଭାଗଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଅନୁରୋଧ କରାଯାଇଥିଲା। ଶିଶୁ ସୁରକ୍ଷା ନିୟମ ପାଳନ କରିବାରେ ବିଫଳ ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ କଠୋର ଜରିମାନା ଲାଗୁ କରିବାକୁ ଆବେଦନରେ ଦାବି କରାଯାଇଥିଲା।