ସରିଲା ସଂସଦର ବଜେଟ୍ ଅଧିବେଶନ

ଅନିର୍ଦ୍ଦିଷ୍ଟ କାଳ ଯାଏଁ ଉଭୟ ଗୃହ ମୁଲତବୀ

ୱାକଫ ବିଲକୁ ନେଇ ରାଜ୍ୟସଭାରେ ୧୭ ଘଣ୍ଟାର ବିତର୍କ: ସର୍ବକାଳୀନ ରେକର୍ଡ଼ ସୃଷ୍ଟି

ନୂଆଦିଲ୍ଲୀ, ୦୪/୦୪: ଜାନୁଆରୀ ୩୧ତାରିଖରୁ ଆରମ୍ଭ ହୋଇଥିବା ସଂସଦର ବଜେଟ୍ ଅଧିବେଶନ ଆଜି ଶେଷ ହୋଇଛି। ଆଜି ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ରାଜ୍ୟସଭାର ୨୬୭ତମ ଅଧିବେଶନରେ ସମାପନୀ ଭାଷଣ ଦେଇ ଗୃହର ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ମୂଲ୍ୟବାନ ସମୟ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଅଧିବେଶନରେ ୧୫୯ ଘଣ୍ଟା ପର୍ଯ୍ୟନ୍ତ ଗୃହ ଚାଲିଥିଲା ଏବଂ ୧୧୯ ପ୍ରତିଶତ ଫଳପ୍ରଦ ହୋଇପାରିଛି ବୋଲି ସେ କହିଛନ୍ତି। ଏପ୍ରିଲ ୩ ତାରିଖ ଗୁରୁବାର ଦିନ ଗୃହରେ ସବୁଠୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ଏପ୍ରିଲ ୩ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ଭୋର ୪ଟା ୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହା ଏକ ଐତିହାସିକ ଦିନ। ରାଜ୍ୟସଭାରେ ୪୯ଟି ବେସରକାରୀ ବିଲ୍ ମଧ୍ୟ ଆଗତ ହୋଇଛି।

ଅନ୍ୟପକ୍ଷରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ଏହି ଅଧିବେଶନ ଜାନୁଆରୀ ୩୧ତାରିଖରୁ ଆରମ୍ଭ ହୋଇଥିଲା। ଏହି ଅଧିବେଶନରେ ଆମର ୨୬ ଦିନ ଗୃହ କାର୍ଯ୍ୟ ଚାଲି ପାରିଥିଲା। ଏହି ଅଧିବେଶନରେ ୧୦ଟି ସରକାରୀ ବିଲ୍ ଆଗତ ହୋଇଥିବା ବେଳେ ୱାକଫ୍ ସଂଶୋଧନ ବିଲ୍ ସମେତ ୧୬ଟି ବିଲ୍ ପାରିତ ହୋଇଥିଲା। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରେ‌ ଆରମ୍ଭ ହୋଇ ଫେବ୍ରୁଆରୀ ୧୩ରେ ଶେଷ ହୋଇଥିଲା। ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଭାଗ ଏପ୍ରିଲ ୪ ତାରିଖରେ ଶେଷ ହୋଇଛି।

ସୂଚନାଯୋଗ୍ୟ, ଲୋକସଭାରେ ପାଖାପାଖି ୧୨ ଘଣ୍ଟାର ବିତର୍କ ପରେ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍ ପଠାଯାଇଥିଲା। ବୁଧବାର କିରଣ ରିଜିଜୁ ଆଗତ କରିଥିବା ଏହି ବିଲ୍ ଉପରେ ଲୋକସଭାରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ବିତର୍କ ହୋଇଥିଲା। ଶେଷରେ ଏହା ସପକ୍ଷରେ ୨୮୮ ଓ ବିପକ୍ଷରେ ୨୩୨ ଭୋଟ ପାଇ ପାରିତ ହୋଇଥିଲା। ସେହିପରି ରାଜ୍ୟସଭାରେ ୧୭ ଘଣ୍ଟା ଧରି ଆଲୋଚନା ହେବା ପରେ ଏହା ସପକ୍ଷରେ ୧୨୮ ଓ ବିପକ୍ଷରେ ୯୫ ଭୋଟ ପାଇଁ ପାରିତ ହୋଇଥିଲା।

କେନ୍ଦ୍ର ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍ ଉପରେ ୧୭ ଘଣ୍ଟା ୨ ମିନିଟ୍ ଧରି ବିତର୍କ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଗତକାଲି ରାଜ୍ୟସଭାରେ ଆମେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲୁ। ଏହା ପୂର୍ବରୁ ୧୯୮୧ମସିହାରେ ସଂସଦରେ ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ ଉପରେ ରେକର୍ଡ ସମୟ ଧରି ଆଲୋଚନା ହୋଇଥିଲା ବୋଲି କହିଛନ୍ତି।