ଭାରତ ଅଭିମୁଖେ ତହୱୁର ରାଣା

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପ୍ରସ୍ତୁତ

ବିମାନବନ୍ଦରରୁ ବୁଲେଟ ପ୍ରୁଫ ସହ “ମାର୍କମ୍ୟାନ” ଗାଡିରେ ଯିବ ତହୱୁର

ନୂଆଦିଲ୍ଲୀ, ୧୦/୦୪: ଦୀର୍ଘ ବର୍ଷ ପରେ ଭାରତକୁ ମିଳୁଛି କୂଟନୈତିକ ସଫଳତା। ଆଉ କିଛି ସମୟ ପରେ ଭାରତ ମାଟିରେ ପାଦ ଦେବ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତହୱୁର ରାଣା। ଆମେରିକାରୁ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ଆଣି ଆସୁଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଓ ଗୁଇନ୍ଦା ସଂସ୍ଥା ର’ ର ଏକ ମିଳିତ ଟିମ୍।

ଭାରତ ପହଞ୍ଚିବା ପରେ ଏନଆଇଏ ତହୱୁରକୁ ଗିରଫ କରି ଭର୍ଚୁଆଲ ଭାବେ କୋର୍ଟଚାଲାଣ କରାଯିବ। ଏହା ପରେ ବିଚାର ବିଭାଗୀୟ ହାଜତକୁ ନିଆଯିବ। ତିହାର ଜେଲର ହାଇ ସିକ୍ୟୁରିଟି ୱାର୍ଡରେ ତାକୁ ରଖାଯିବ। ତହୱୁର ପାଇଁ ନରେନ୍ଦ୍ର ମାନଙ୍କୁ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି କରିଛି ଗୃହ ମନ୍ତ୍ରଣାଳୟ।

ତହୱୁରକୁ ଆମେରିକାରୁ ପ୍ରତ୍ୟର୍ପଣ କରିବା ପୂର୍ବରୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପାକିସ୍ତାନୀ ବଂଶୋଦ୍ଭବ କାନାଡାର ନାଗରିକ ତହୱୁର ପାଲାମ ବିମାନ ବନ୍ଦରରୁ ଏକ ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ମୁଖ୍ୟାଳୟକୁ ନିଆଯିବ।ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ସତର୍କ ରଖାଯାଇଛି ଏବଂ ବିମାନ ବନ୍ଦରରେ ସ୍ୱାଟ୍ (ସ୍ପେଶାଲ ୱେପନ୍ସ ଆଣ୍ଡ ଟେକ୍ଟିକ୍ସ) କମାଣ୍ଡୋ ମୁତୟନ କରାଯାଇଛି।

ତହୱୁରକୁ ବିମାନବନ୍ଦରରୁ ଆଣିବା ପାଇଁ ବୁଲେଟ୍ ପ୍ରୁଫ୍ ଗାଡ଼ି ସହ ଏକ ‘ମାର୍କମ୍ୟାନ୍’ ଗାଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। “ମାର୍କମ୍ୟାନ” ଗାଡି ଏକ ଅତ୍ୟନ୍ତ ସୁରକ୍ଷିତ, ଯାହା ଯେ କୌଣସି ପ୍ରକାରର ଆକ୍ରମଣକୁ ପ୍ରତିହତ କରିପାରିବ। ଏହା ସାଧାରଣତଃ ଆତଙ୍କବାଦୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ସମେତ ଉଚ୍ଚ ବିପଦପୂର୍ଣ୍ଣ ବ୍ୟକ୍ତିଙ୍କୁ ଅଦାଲତ କିମ୍ବା ଏଜେନ୍ସି କାର୍ଯ୍ୟାଳୟକୁ ନେବା ଆଣିବା ପାଇଁ ବ୍ୟବହାର କରିଥାଏ।

ଆମେରିକା କୋର୍ଟର ପ୍ରସ୍ତାବ ଅନୁସାରେ ଦିଲ୍ଲୀ ଓ ମୁମ୍ବାଇର ଦୁଇଟି ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଭାରତ ପ୍ରତ୍ୟର୍ପଣ ବିରୋଧରେ ଆମେରିକା କୋର୍ଟରେ ଆବେଦନ କରିଥିଲା ତହୱୁର। ହେଲେ ଏହାକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ। ୨୦୨୦ରେ ତହୱୁରକୁ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟାର ଆରମ୍ଭ ହୋଇଥିଲା। ଗତ ଫେବ୍ରୁୟାରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତହୱୁର ର ଭାରତ ପ୍ରତ୍ୟର୍ପଣ ପାଇଁ ନିଶ୍ଚିତ କରିଥିଲେ। ବର୍ତ୍ତମାନ ସେ ଲସ୍ ଏଞ୍ଜେଲସର ମେଟ୍ରୋପଲିଟାନ ଡିଟେନସନ ସେଣ୍ଟରରେ ରହୁଥିଲା।

୨୦୦୮ ନଭେମ୍ବର ୨୬ତାରିଖରେ ଲସ୍କର-ଇ-ତୋଏବାର ୧୦ ଜଣ ଆତଙ୍କବାଦୀ ମୁମ୍ବାଇର ୧୨ଟି ସ୍ଥାନରେ ସମନ୍ୱିତ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ। ଏଥିରେ ମାଷ୍ଟର ମାଇଣ୍ଡ ଥିଲା ତହୱୁର ରାଣା। ଅନ୍ୟତମ ଆତଙ୍କବାଦୀ ଅଜମଲ କସାବକୁ ଜୀବନ୍ତ ଧରାଯାଇଥିଲା ଏବଂ ପରେ ୨୦୧୨ରେ ପୁଣେର ଏକ ଜେଲରେ ଫାଶୀ ଦିଆଯାଇଥିଲା।