୧୦ କୋଟି ଟଙ୍କାର ଗଞ୍ଜେଇ ଜବତ

ବେଆଇନ ଚାଲାଣ ବେଳେ ଧରିଲା ପୋଲିସ

୧୦୦୫ କେଜି ଗଞ୍ଜେଇ ସହ ଜଣେ ଅଟକ

କୋରାପୁଟ, ୧୨/୦୪: ମାତିଛନ୍ତି ନିଶା ମାଫିଆ। ବେଆଇନ ଭାବେ ଅନ୍ୟ ରାଜ୍ୟକୁ ଚାଲାଣ କରୁଛନ୍ତି ନିଶା ଦ୍ରବ୍ୟ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପଡୁଆ ଗ୍ରାମ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ। ଉକ୍ତ ବ୍ୟକ୍ତିଙ୍କ ନିକଟରୁ ୧୦୦୫ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ।

ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲ୍ଲା ବୁଡିଂ ଜଙ୍ଗଲରୁ ବେଆଇନ ଭାବେ ରାଜସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ଅପରେସନ ଆରମ୍ଭ କରିଥିଲେ ପଡୁଆ ଥାନା ଅଧିକାରୀ। ସବ୍ ଇନ୍ସପେକ୍ଟର ହିମାଂଶୁ ବେନିଆ ଓ ଦୀପକ ବାରିକଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ଗଠନ କରାଯାଇଥିଲା। ଏକ ଟ୍ରକ ଭର୍ତ୍ତି ଗଞ୍ଜେଇ ଯାଉଥିବା ଦେଖି ଅଟକାଇ ଦେଖିଥିଲେ ଯେ, ଟ୍ରକର ବାହାରକୁ ନିମ୍ବ ଗଛ ରଖି ଭିତରେ ଗଞ୍ଜେଇ ଭର୍ତ୍ତି କରାଯାଇଛି। ତୁରନ୍ତ ଘଟଣାସ୍ଥଳରୁ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରାଯିବା ସହ ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଚୋରାଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଫେରାର ସନ୍ଦିଗ୍ଧକୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି ପୋଲିସ।