କୋରାପୁଟ, ୧୨/୦୪: ଓଡ଼ିଶାର ସର୍ବୋଚ୍ଚ ଶିଖର ରେ ରାତ୍ରିଯାପନ ନେଇ କଟକଣା ଜାରି କରିଛି କୋରାପୁଟ ଜିଲ୍ଲାର ପ୍ରଶାସନ। କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲାପାଳ ଭି କିର୍ତ୍ତି ବାସନଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ପାହାଡ଼ ଉପରେ ରହିବାକୁ ବାରଣ କରାଯାଇଛି।
ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲା ପ୍ରଶାସନର ନିର୍ଦ୍ଦିଷ୍ଟ ଅନୁମତି ବିନା ପାହାଡ଼ ଉପର ଅଞ୍ଚଳରେ ରାତ୍ରିଯାପନ କରି ପାରିବେ ନାହିଁ। କେବଳ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସଂସ୍ଥା ଦ୍ୱାରା ବୁକିଂ କରିଥିଲେ ରହିବାକୁ ଅନୁମତି ମିଳିବ। ପ୍ରାକୃତିକ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ପର୍ଯ୍ୟଟକମାନେ ଅଳିଆ ଆବର୍ଜନାକୁ ଏଣେତେଣେ ନ ପକାଇ ଡଷ୍ଟବିନରେ ପକାଇବେ। ଟୁର ଅପରେଟର ଓ ଭେଣ୍ଡରମାନେ ଆବର୍ଜନା ନିଷ୍କାସନକୁ ସୁନିଶ୍ଚିତ କରିବେ।
ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୬୩ ଏବଂ ପରିବେଶ ସୁରକ୍ଷା ଆଇନ, ୧୯୮୬ର ଧାରା ୧୫ ଅନୁଯାୟୀ ପରିବେଶ ସୁରକ୍ଷା ପାଇଁ ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ ହେବ। ଯଦି କେହି ଏହି ନିୟମ ଉଲ୍ଲଂଘନ କରନ୍ତି ତାହାଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏହି ନିର୍ଦ୍ଦେଶ ଆସନ୍ତା ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ।
ସୂଚନାଯୋଗ୍ୟ, ଗତ ମାସରେ ଫିଲ୍ମ ସୁଟିଂ ଅବସରରେ ଓଡ଼ିଶାର ଦେଓମାଳି ଆସିଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସଏସ ରାଜମୌଲି। ଏଠାରେ ସେ ଟ୍ରେକ ରୁଟରେ ପ୍ଲାଷ୍ଟିକ ବୋତଲ ଏବଂ ବର୍ଜ୍ୟବସ୍ତୁରେ ପଡ଼ିଥିବାର ଦେଖି ନିରାଶ ହୋଇଥିଲେ। ଏ ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦେଓମାଳିର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ସହ ଅଳିଆ ଆବର୍ଜନାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।