ରାଷ୍ଟ୍ରପତିଙ୍କ କ୍ଷମତା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ରାଜ୍ୟପାଳ ପଠାଇଥିବା ବିଲ୍ ଉପରେ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୧୨/୦୪: ରାଷ୍ଟ୍ରପତିଙ୍କ କ୍ଷମତା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ରାଜ୍ୟପାଳଙ୍କ ଦ୍ୱାରା ପଠାଯାଉଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦି ରାଷ୍ଟ୍ରପତି ୩ ମାସ ଭିତରେ କୌଣସି ନିଷ୍ପତି ନ ନେଇ ପାରିବେ, ତାହାଲେ ରାଜ୍ୟଗୁଡିକୁ କାରଣ ସମ୍ପର୍କରେ ରାଷ୍ଟ୍ରପତି ଜଣାଇବେ। ୩ ମାସ ଭିତରେ ବିଲ୍ ଉପରେ କୌଣସି ନିଷ୍ପତ୍ତି ନ ନେଇ ପାରିଲେ ରାଜ୍ୟର କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ସମ୍ପୃକ୍ତ ରାଜ୍ୟ ବୋଲି ଉଚ୍ଚନ୍ୟାୟାଳୟ କହିଛନ୍ତି।
ସୂଚନାନୁସାରେ, ତାମିଲନାଡୁ ବିଧାନସଭାରେ ଗୃହୀତ ୧୦ଟି ବିଲକୁ ରାଜ୍ୟପାଳ ଆର୍ ଏନ୍ ରବି ବହୁ ବର୍ଷ ଧରି ମୋହର ନ ମାରିବାରୁ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ମାମଲାରେ ରାୟ ଶୁଣାଇ ଜଷ୍ଟିସ ଜେବି ପାର୍ଡିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା କାର୍ଯ୍ୟ ନିର୍ବାହ କରିବା ନ୍ୟାୟିକ ସମୀକ୍ଷା ପାଇଁ ଉପଯୁକ୍ତ। ଧାରା ୨୦୧ ଅନୁଯାୟୀ, ରାଷ୍ଟ୍ରପତି ଏହି ବିଲକୁ ଅନୁମୋଦନ କରିପାରିବେ କିମ୍ବା ଅଟକାଇ ପାରିବେ। କିନ୍ତୁ ସମ୍ବିଧାନରେ ଏଥିପାଇଁ କୌଣସି ସମୟସୀମା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।