ବଦଳିବ ଭାରତୀୟ ନୌସେନାର ଧ୍ୱଜ

ନୂଆଦିଲ୍ଲୀ ୩୧।୮: ଆଗାମୀ ସେପ୍ଟେମ୍ବର ୨ ତାରିଖ ଭାରତୀୟ ନୌସେନା ଲାଗି ଏକ ସ୍ମରଣୀୟ ଦିନ ହୋଇ ରହିବ। ଏହି ଦିନ ନୌସେନାକୁ ବିମାନବାହୀ ଯୁଦ୍ଧପୋତ ଆଇଏନଏସ୍‌ ବିକ୍ରାନ୍ତ ମିଳିବାକୁ ଥିବା ବେଳେ ନୌସେନାକୁ ନୂଆ ଧ୍ୱଜ ମଧ୍ୟ  ପ୍ରଦାନ କରାଯିବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଶୁକ୍ରବାର ନୌସେନା ଲାଗି ନୂଆ ଧ୍ୱଜ ଜାରି କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂଆ ନୌସେନା ପତାକା ଉପନିବେସୀୟ ଇତିହାସରୁ ଦୂରରେ ସମୃଦ୍ଧ ଭାରତୀୟ ସମୁଦ୍ର ଐତିହ୍ୟ ଅନୁରୂପ ହେବ ବୋଲି କୁହାଯାଇଛି।

ବିଶ୍ୱର ପ୍ରତ୍ୟେକ ଦେଶର ନୌସେନା ପତାକା ଭିନ୍ନ ଭିନ୍ନ । ଏହି ପତାକା ନୌସେନା ଯୁଦ୍ଧପୋତ ସମେତ ଗ୍ରାଉଣ୍ଡ ଷ୍ଟେସନ, ବିମାନ ବନ୍ଦର ସମେତ ସବୁ ନୌସେନା ପ୍ରତିଷ୍ଠାନ ଉପରେ ଉଡା ଯାଇଥାଏ। ଭାରତୀୟ ନୌସେନାର ବର୍ତ୍ତମାନ ଧ୍ୱଜା ଶ୍ୱେତ ରଙ୍ଗର ଆଧାର ଉପରେ ଲାଲ ରଙ୍ଗର କ୍ରସ୍‌ ଚିହ୍ନ ରହିଛି। ପତାକାର ବାମ ପଟ ଉପର କୋଣରେ ଜାତୀୟ ପତାକା ଚିହ୍ନିତ ଥିବା ବେଳେ କ୍ରସ ଚିହ୍ନ ମଝିରେ ଅଶୋକ ସ୍ତମ୍ବ ରହିଛି। ଏବେ ଏହି ଧ୍ୱଜକୁ ବଦଳାଇ ଦିଆଯିବ।