ବାଲେଶ୍ଵର, ୧୬/୦୪: ବାଲେଶ୍ବର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪୦ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ସୋର କଲେଜ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪୦ ଜଣ ଆହତ ହୋଇଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ‘ଅଜୟ’ ନାମକ ଏକ ଘରୋଇ ବସ୍ ଯାତ୍ରା କରୁଥିବା ବେଳେ ବିପରୀତ ଦିଗରୁ ଯାଜପୁର ଅଭିମୁଗେ ଯାଉଥିବା ଏକ ଟ୍ରକଟି ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା।
ସ୍ଥାନୀୟ ଲୋକଙ୍କ ସହ ସ୍ଥାନୀୟ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଟ୍ରକ୍ ଡ୍ରାଇଭର ରମେଶ ଚନ୍ଦ୍ର ପାଣ୍ଡେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।