ଆଜିର ତାରିଖ ୨୯ ଏପ୍ରିଲ୍ ୨୦୨୫
ଆନ୍ତର୍ଜାତିକ ନୃତ୍ୟ ଦିବସ:- ପ୍ରତିବର୍ଷ ଅପ୍ରେଲ ମାସ ୨୯ ତାରିଖ ଦିନ ପାଳନ କରାଯାଏ। ୟୁନେସ୍କୋର ପରଫର୍ମିଂ ଆର୍ଟର ଅଂଶୀଦାର ଅନୁଷ୍ଠାନ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ(ଆଇଟିଆଇ)ର ନୃତ୍ୟ ସମିତି ଦ୍ୱାରା ଏହି ଦିବସ ୧୯୮୨ ମସିହାରୁ ପାଳିତ ହେଉଛି। ଆଧୁନିକ ବାଲେଟ ନୃତ୍ୟର ଜନକ ଜିନ ଜର୍ଜେସ ନଭେର (୧୭୨୯-୧୮୧୦)ଙ୍କ ଜୟନ୍ତୀ ଅବସରରେ ଅପ୍ରେଲ ୨୯ତାରିଖ ଦିନ ଏହି ଦିବସ ପାଳନ କରାଯାଏ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ରାଜା ରବି ବର୍ମା (୨୯ ଅପ୍ରେଲ ୧୮୪୮ – ୨ ଅକ୍ଟୋବର ୧୯୦୬) ଜଣେ ଭାରତୀୟ ଚିତ୍ରଶିଳ୍ପୀ ଓ କଳାକାର ଥିଲେ।
୨. ଆଶିଷ ନେହରା ଜଣେ ଭାରତୀୟ କ୍ରିକେଟ କୋଚ୍ ଏବଂ ପୂର୍ବତନ କ୍ରିକେଟର। ନେହରା ୨୦୧୭ ନଭେମ୍ବର ୧ ରେ ଫିରୋଜ ଶାହା କୋଟଲାଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
୩. ଭାରତୀଦାସନ (୨୯ ଅପ୍ରେଲ ୧୮୯୧-୨୧ ଅପ୍ରେଲ ୧୯୬୪) ଜଣେ ତାମିଲ କବି, ଲେଖକ, ଶିକ୍ଷକ ଥିଲେ। ତାଙ୍କ ଲେଖା ମୁଖ୍ୟତଃ ସାମାଜିକ-ରାଜନୈତିକ ପ୍ରସଙ୍ଗ ଉପରେ କେନ୍ଦ୍ରୀଭୂତ।
୪. ରାମଚନ୍ଦ୍ର ଗୁହା (୨୯ ଏପ୍ରିଲ୍ ୧୯୫୮) ଜଣେ ଭାରତୀୟ ଲେଖକ ଯିଏ କି ମୁଖ୍ୟତଃ ଅର୍ଥନୀତି, ପରିବେଶ, ରାଜନୈତିକ ପ୍ରସଙ୍ଗ ଉପରେ ଲେଖନ୍ତି। ଅକ୍ଟୋବର ୨୦୧୩ରେ ସେ ‘ଗାନ୍ଧୀ ବିଫୋର ଇଣ୍ଡିଆ’ ପ୍ରକାଶ କରିଥିଲେ। ତାଙ୍କୁ ୨୦୧୧ରେ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୦୯ରେ ତାଙ୍କୁ ପଦ୍ମଭୂଷଣ ମଧ୍ୟ ମିଳିଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ମହେନ୍ଦ୍ର ପ୍ରତାପ ସିଂହ (୧ ଡିସେମ୍ବର ୧୮୮୬ – ୨୯ ଅପ୍ରେଲ ୧୯୭୯) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଲେଖକ ଏବଂ ବିପ୍ଳବୀ ଥିଲେ। ସେ ସାମାଜିକ କୁସଂସ୍କାର, ବିଶେଷକରି ଅସ୍ପୃଶ୍ୟତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ। ୧୯୩୨ ମସିହାରେ ସେ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।
୨. ଇରଫାନ ଖାନ (୦୭ ଜାନୁଆରୀ ୧୯୬୭ – ୨୯ ଅପ୍ରେଲ ୨୦୨୦) ଜଣେ ଭାରତୀୟ ଅଭିନେତା ଯିଏ କି ହିନ୍ଦୀ ସିନେମା ସହିତ ବ୍ରିଟିଶ ଏବଂ ଆମେରିକୀୟ ଚଳଚ୍ଚିତ୍ରରେ କାମ କରିଥିଲେ। ସଲାମ ବମ୍ବେରେ ଏକ ଛୋଟ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ ଖାନ୍। ସେ ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଗୋଟିଏ ଏସୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଛଅଟି ଫିଲ୍ମଫେୟାର ପୁରସ୍କାର ସମେତ ଅନେକ ପୁରସ୍କାର ପାଇଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୬୬୧ – ଚୀନର ମିଙ୍ଗ ରାଜବଂଶ ତାଇୱାନକୁ ଦଖଲ କରିଥିଲା।
୧୬୨୮ – ସ୍ୱିଡେନ ଓ ଡେନମାର୍କ ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୬୬୪ – କୃଷକ ନେତା ଲି ଜିଚେଙ୍ଗ ଚୀନର ସମ୍ରାଟ ହୋଇଥିଲେ।
୧୯୩୯ – ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଂଗ୍ରେସରୁ ଇସ୍ତଫା ଦେଇଥିଲେ।
୧୯୯୧ – ବାଂଲାଦେଶରେ ଏକ ଭୟଙ୍କର ବାତ୍ୟାରେ ପାଖାପାଖି ୧,୪୦,୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ନିୟୁତରୁ ଅଧିକ ଲୋକ ସେମାନଙ୍କ ଘର ହରାଇଥିଲେ।
୧୯୯୨ – ଆମେରିକାର ଲସ୍ ଆଞ୍ଜେଲସରେ ଭୟଙ୍କର ଦଙ୍ଗା ହୋଇଥିଲା। ଏହି ଦଙ୍ଗାରେ ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୮୩ ଜଣ ଆହତ ହୋଇଥିବା ବେଳେ ୧୨୧୧୧ ଜଣଙ୍କୁ ଗିରଫ କରାଯାଇଥିଲା।
୧୯୯୩ – ପ୍ରଥମ ଥର ପାଇଁ ବକିଂହାମ୍ ପ୍ୟାଲେସ୍ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା।
୧୯୯୫ – ଜିଓଭାନି ଗ୍ରୋଞ୍ଚି ଇଟାଲୀର ତୃତୀୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।