ନୂଆଦିଲ୍ଲୀ, ୨୯/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିତିଗଲାଣି ସପ୍ତାହେ। ହେଲେ, ଲୋକଙ୍କ ମନରୁ ଏବେ ଯାଏଁ ବି ଏ ବର୍ବରୋଚିତ କାଣ୍ଡର ଦୃଶ୍ୟ ମନରୁ ଲିଭିନି। ସରକାର ତତ୍ପରତାର ସହିତ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଲାଗି ପଡିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାତାଳରେ ଥିଲେ ବି ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଦେଶ ଭିତରେ ବି ବହୁ ଆତଙ୍କବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଜମ୍ମୁ-କାଶ୍ମୀର ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରି ଦେଇଛନ୍ତି। ଅନ୍ୟପଟେ ଭୟଭୀତ ହୋଇ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାକୁ ଆସିଥିବା ପର୍ଯ୍ୟଟକମାନେ ମୁହଁ ଫେରାଇ ନେଉଛନ୍ତି। ଗତ ସପ୍ତାହକ ମଧ୍ୟରେ ବହୁ ପର୍ଯ୍ୟଟକ ଜୀବନ ବଞ୍ଚାଇବା ଭୟରେ ଉକ୍ତ ସ୍ଥାନ ଛାଡି ପଳାଉଛନ୍ତି।
ସୂତ୍ରରୁ ମିଳିଥିବା ଖବର ମୁତାବକ, ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଏବଂ ରାଜ୍ୟ ବାହାର ଲୋକଙ୍କୁ ଟାର୍ଗେଟ କରି ସକ୍ରିୟ ଭାବେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ବିଶେଷ କରି ଶ୍ରୀନଗର ଓ ଗଣ୍ଡରବଲ ଜିଲ୍ଲାରେ ରାଜ୍ୟ ବାହାର ବ୍ୟକ୍ତି, ସିଆଇଡି ଯବାନ ଏବଂ କାଶ୍ମୀର ପଣ୍ଡିତଙ୍କ ଉପରେ ଟାର୍ଗେଟ କରି ଆକ୍ରମଣ କରିବାକୁ ଯୋଜନା କରୁଛି। ଏଥର ଆତଙ୍କବାଦୀଙ୍କ ଦ୍ୱାରା ଆହୁରି ବଡ଼ ଧରଣର ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ବିଭାଗ ଅନୁମାନ କରିଛି। ଆତଙ୍କୀମାନେ ରେଳପଥ ଉପରେ ଟାର୍ଗେଟ କରି ରେଳ ଆକ୍ରମଣ ମଧ୍ୟ କରିପାରନ୍ତି। ତେଣୁ ସୁରକ୍ଷା ବାହିନୀ ମୁଖ୍ୟତଃ ଜମ୍ମୁ-କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପରୁ ଗୁଲମାର୍ଗ, ସୋନମର୍ଗ ଏବଂ ଡାଲ ହ୍ରଦ ଅଞ୍ଚଳ ସମେତ ସମ୍ବେଦନଶୀଳ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଆଣ୍ଟି-ଫିଦାଇନ୍ ସ୍କ୍ୱାଡ୍ ମୁତୟନ କରିଛନ୍ତି। ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆକ୍ରମଣର ଆଶଙ୍କା ପରେ ଜମ୍ମୁ-କଶ୍ମୀର ସରକାର କଶ୍ମୀରର ୮୭ଟି ପର୍ଯ୍ୟଟନ ସ୍ଥଳୀମଧ୍ୟରୁ ୪୮ଟିକୁ ବନ୍ଦ କରିଦେଇଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।