ବିଜୁ ଶ୍ରମିକ ସାମୂଖ୍ୟ ତରଫରୁ ଆନ୍ତର୍ଜାତୀୟ ମଇ ଦିବସ ୨୦୨୫ ପାଳନ
ଯୋଗ ଦେଲେ ୪୫ଟି ଟ୍ରେଡ ୟୁନିୟନ ଓ ଆସୋସିଏସନ୍
ମେ ୨୦ରେ ଶ୍ରମିକ ସଂଘର ଭାରତ ବନ୍ଦ ଡାକରା
ଭୁବନେଶ୍ୱର, ୦୧/୦୫: ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ଦପ୍ତରରେ ୫୦୦ରୁ ଉର୍ଦ୍ଧ୍ବ ସଦସ୍ୟ ମାନଙ୍କ ଉପସ୍ଥିତିରେ ମଇ ଦିବସ-୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି। ସାମୂଖ୍ୟର ଉପ-ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ନବ କିଶୋର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ଶ୍ରୀ ମହାନ୍ତି ମଇ ଦିବସର ଇତିହାସ ଓ ଶ୍ରମିକ ଏକତା ସହିତ ମିଳିତ ଲଢେଇର ଆବଶ୍ୟକତା ଉପରେ ସୂଚନା ଦେବା ସହିତ ବର୍ତମାନର ଶ୍ରମିକ ବିରୋଧୀ କେନ୍ଦ୍ର ସରକାର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଶ୍ରମ ଆଇନ୍ କୁ ୪ ଟି କୋଡ୍ ରେ ବିଭକ୍ତ କରି ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ୨୯ ଟି ଆଇନକୁ ପରିବର୍ତ୍ତନ କରିବା ଓ ଅଧିକାରକୁ ଛଡାଇ ନେଇ ଯାଇ ଆଇନ ପ୍ରଣୟନ କରିବା ତାଙ୍କ ଶ୍ରମିକ ବିରୋଧୀ ଚରିତ୍ରକୁ ପଦାରେ ପକାଇଛି। ଦୀର୍ଘ ୭ ବର୍ଷ ଧରି ସାରା ଭାରତ ବ୍ୟାପି ଏହାର ବିରୋଧ ଯୋଗୁଁ ଅଟକା ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ବର୍ଷ ଲାଗୁ କରାଇବା ପାଇଁ ଚାହୁଁଛନ୍ତି ଓ ଅନ୍ୟ ପକ୍ଷରେ ଭାରତବର୍ଷର ଶ୍ରମିକ ଶ୍ରେଣୀ ଜବରଦସ୍ତ ବିରୋଧ କରି ୨୦ ମେ’ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଉକ୍ତ ସଭାରେ ବରିଷ୍ଠ ପୂର୍ବତନ ମନ୍ତ୍ରୀ ତଥା ମୁଖ୍ୟ ଅତିଥି ବିଜୁ ଜନତା ଦଳର ସାଂଗଠନିକ ଅଧକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ତାଙ୍କ ଦୀର୍ଘ ସମୟର ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଓ ସାଧରଣ ମଣିଷ ବିରୋଧୀ, ଦରଦାମ ବୃଦ୍ଧି, ବିଶେଷ କରି ରାଜ୍ୟ ସରକାରଙ୍କ ରଙ୍ଗ ବୋଳା ଓ ଡହରାମୀ ନୀତି ଉପରେ ବକ୍ତବ୍ୟ ରଖି ଘୋର ନିନ୍ଦା କରିଥିଲେ। ବିଜେଡି ଶାସନରେ ଓଡିଶାର ଅର୍ଥନୈତିକ ପ୍ରଗତି ଓ ବଳକା ରାଜୟ ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ଦେଶର ୧ ନଂ ଥିଲା ବେଳେ ବର୍ତମାନ ରାଜ୍ୟ ତଳକୁ ତଳ ଚାଲିଯାଇଛି। ଶ୍ରମିକ ମାନଙ୍କ ନିରାପତ୍ତା ଉପରେ ଗୁରୁତ୍ବ ଦିଆଯାଉନି। ଖାଦ୍ୟ ନିରାପତ୍ତା ଉପରେ ଗୁରୁତ୍ବ ଦିଆଯାଉନି। ସର୍ବନିମ୍ନ ମଜୁରୀ ମଧ୍ୟ ବୃଦ୍ଧି ହେବା ଦରକାର। ଆୟୁଷ୍ମାନ ଯୋଜନାରେ ମଧ୍ୟ ଶ୍ରମିକ ମାନେ ସାମିଲ ହେବା ଦରକାର।
ବିଜୁ ଶ୍ରମିକ ସାମୂଖ୍ୟର ମହାସଚିବ ଶ୍ରୀ ସୁବାସ ସିଂ ବକ୍ତବ୍ୟ ରଖି ମଇ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ମିଳିତ ଲଢେଇର ଜରୁରୀ ଆବଶ୍ୟକତା ଉପରେ ବକ୍ତବ୍ୟ ରଖିବା ସହିତ ଆଗାମୀ ୨୦ ମଇ ଲଢେଇରେ ବିଜୁ ଶ୍ରମିକ ସାମୂଖ୍ୟ ସାମିଲ ହେବା ପାଇଁ ସୂଚନା ଦେଇଥିଲେ।କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଷଡଯନ୍ତ୍ର, ଦରଦାମ ବୃଦ୍ଧିକୁ କଡା ସମାଲୋଚନା କରି ଆଗାମୀ ଦିନରେ ଦୃଢ ଭାବରେ ବିରୋଧ କରବା ପାଇଁ ଆହ୍ବାନ ଦେଇଥିଲେ। ଭୁବନେଶ୍ବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଓ ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଦୀର୍ଘ ସମୟର ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତିର ସମାଲୋଚନା କରି ଏହାର ଉପଯୁକ୍ତ ଜବାବ ଦେବ ବୋଲି ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ପ୍ରଦ୍ୟୁମ୍ନ କୁମାର ସାମଲ, ପ୍ରଦୀପ କୁମାର ନାୟକ, ବିକ୍ରମ ନାୟକ, ଯୋଗେନ୍ଦ୍ର ସାଇଁ ପ୍ରଭୃତି ମଇ ଦିବସ ସଂପର୍କରେ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିର ବିରୋଧ କରିଥିଲେ। ସର୍ବଶେଷରେ ଶ୍ରମିକ ନେତା ଶ୍ରୀ ଦିବ୍ୟରଂଜନ ସେଠୀ ଧନ୍ୟବାଦ ବକ୍ତବ୍ୟ ରଖିଥିଲେ।ଭକ୍ତ ସଭାରେ ୪୫ଟି ଟ୍ରେଡ୍ ୟୁନିୟନ ଓ ଆସୋସିଏସନ୍ ପ୍ରତିନିଧିମାନେ ଯୋଗ ଦେଇଥିଲେ।