ଆରବ ସାଗରରେ ମେ ୩ରୁ ୭ ପର୍ଯ୍ୟନ୍ତ ଲାଇଭ୍ ଫାୟାରିଂ ଅଭ୍ୟାସ କରିବ ନୌସେନା
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ
ନୂଆଦିଲ୍ଲୀ, ୦୩/୦୫: ଆରବ ସାଗରରେ ମେ ୩ରୁ ୭ ତାରିଖ ଶନିବାର ପର୍ଯ୍ୟନ୍ତ ଭାରତୀୟ ନୌସେନା ଲାଇଭ୍ ଫାୟାରିଂ ଅଭ୍ୟାସ କରିବ। ଏହାପୂର୍ବରୁ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏକ ଘଣ୍ଟା ଧରି ବୈଠକ କରି ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ।
ଲାଇଭ୍ ଫାୟାରିଂ ଡ୍ରିଲ୍ ହେଉଛି ଏକ ସାମରିକ ଅଭ୍ୟାସ ଯେଉଁଠାରେ ନୌସେନା ଯବାନମାନେ ଯୁଦ୍ଧ ଭଳି ଜୀବନ୍ତ ଗୋଳାବାରୁଦ ବ୍ୟବହାର କରନ୍ତି। ଯୁଦ୍ଧ ପୂର୍ବ ପ୍ରସ୍ତୁତି ଏବଂ ପରୀକ୍ଷଣ ଉପକରଣ ଯାଞ୍ଚ କରିବା ପାଇଁ ଏଭଳି ଅଭ୍ୟାସ ଆୟୋଜନ କରାଯାଏ।
ଗୁଜୁରାଟ ଉପକୂଳରେ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ମଧ୍ୟ ମୁତୟନ କରାଯାଇଛି। ଏହି ଅଞ୍ଚଳରେ ନୌସେନା ନିଜର ଉପସ୍ଥିତିକୁ ସୁଦୃଢ଼ କରୁଛି। ସୂଚନାଯୋଗ୍ୟ, ପାକିସ୍ତାନ ବର୍ତ୍ତମାନ ଆରବ ସାଗରରେ ନୌସେନା ଅଭ୍ୟାସ ଚଳାଇଛି।
ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆଗାମୀ ଦିନରେ ଯୁଦ୍ଧ ହେବା ପରିସ୍ଥିତି ଆଶଙ୍କା କରି ଦୁଇ ଦେଶ ନିଜର ସଶସ୍ତ୍ର ବାହିନୀକୁ ସୁଦୃଢ କରୁଛନ୍ତି।