୧୬୬ରୁ ୧୦୭ କିଲୋ ଓଜନ କମାଇଲେ ମହିଳା

ମୁମ୍ଵାଇ ୦୪।୦୯: ଓଜନ କମ୍‌ କରିବା ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ  ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦେଇଥାନ୍ତି । ପ୍ରକ୍ରିୟାକୃତ ଖାଦ୍ୟ,  ଅସ୍ୱାସ୍ଥ୍ୟକର ଚର୍ବିଯୁକ୍ତ ଖାଦ୍ୟ, ଜଙ୍କ୍‌ ଫୁଡ୍‌, କୃତ୍ରିମ ମିଠାଯୁକ୍ତ ଖାଦ୍ୟ ବଦଳରେ  ଫଳ, ପରିବା, ଶସ୍ୟ ଆଦି ଖାଇବା ଉଚିତ୍‌ । ଏହି କ୍ରମରେ ଜଣେ ମହିଳା  ଏବେ ନିଜର ଓଜନ ହ୍ରାସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ୧୬୬ କିଲୋ ଓଜନର  ଏହି ମହିଳା ପ୍ରାୟ ୧୦୭ କିଲୋ ଓଜନ କମାଇଛନ୍ତି । ଏବେ ତାଙ୍କ ଓଜନ ୫୯- ୬୦ କିଲୋ । ଏଥିପାଇଁ ସେ ପୂର୍ବାପେକ୍ଷା ଅଧିକ ଖୁସି ଅଛନ୍ତି ।  ସେ ହେଉଛନ୍ତି ୫୨ ବର୍ଷୀୟା ଡନ୍‌ ଲାମ୍ବର୍ଟ।

୧୬୬ କିଲୋ ଓଜନର ଲାମ୍ବର୍ଟ ପୂର୍ବରୁ ଅତ୍ୟଧିକ ମାତ୍ରାରେ ଚିପ୍ସ ଓ ଚକ୍‌ଲେଟ ବାର୍‌ ଖାଉଥିଲେ। ଏଥିପାଇଁ  ତାଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା । ଶ୍ୱାସ ରୋଗ, ଗୋଡ଼  ଓ ଫୁସ୍‌ଫୁସ୍‌ରେ ରକ୍ତ ଜମିବା, ଆଇବିଏସ୍‌ ସିଣ୍ଡ୍ରୋମ୍‌ ଓ ଡାଏବର୍ଟିକୁଲିଟିସ୍‌  (ଖରାପ ପାଚନ ସ୍ଥିତି) ଭଳି ରୋଗରେ ସେ ଆକ୍ରାନ୍ତ ହେଲେ । ଏହା ପୂର୍ବରୁ  ସେ ଅଷ୍ଟିଓଆର୍ଥରାଇଟିସ୍‌ ଓ ଲିପୋଏଡେମା ନାମକ ରୋଗର ମଧ୍ୟ ସମ୍ମୁଖୀନ  ହୋଇଥିଲେ । ଫଳରେ ତାଙ୍କ ଗୋଡ଼ରେ ଫ୍ୟାଟ୍‌ ସେଲ୍‌ ସୃଷ୍ଟି ହେବାରେ ଲାଗିଥିଲା । ଏହି କାରଣ ଲାଗି ନିଜ ଜୀବନଶୈଳୀ ବଦଳାଇବାକୁ ଲାମ୍ବର୍ଟ  ନିଷ୍ପତ୍ତି ନେଲେ । ଲାମ୍ବର୍ଟ କହନ୍ତି, ମୁଁ କଦାପି ଅନୁଭବ କରୁନଥିଲି ଯେ  ମୁଁ ବହୁତ ଖାଉଛି । ସେଥିପାଇଁ ମୋର ଓଜନ ବଢ଼ିଚାଲିଲା । ଶ୍ୱାସ ରୋଗ  ନିୟନ୍ତ୍ରଣ ବାହାରକୁ ଚାଲିଗଲା । ମୁଁ ଉଠି ପାରୁନଥିଲି । ଦିନେ ହୃଦୟଙ୍ଗମ  କଲି ଯେ ଓଜନ ନ କମାଇଲେ ଏ ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଠିକ୍‌  ହେବ ନାହିଁ । ଯେତେବେଳେ ମୋର ଅବସ୍ଥା ଖରାପ ହେଲା, ମୁଁ ଜଣେ  ସର୍ଜନଙ୍କୁ ଭେଟିଲି। ସେ କହିଲେ ଯେ ମୋ ଶରୀରରେ ପିବିସି ଆଣ୍ଟିବଡି  ଅଛି, ଯାହା ଏକ ପ୍ରକାର ଯକୃତ ରୋଗର ଆଶଙ୍କା ସୃଷ୍ଟି କରୁଛି । ଏହା  ଦ୍ୱାରା ଯକୃତ ଅଚଳ ହୋଇପାରେ ।   ମୁଁ ଅଧିକ ଦିନ ବଞ୍ଚିବାକୁ ଚାହୁଁଥିଲି ।