ଯୁଦ୍ଧ ପୂର୍ବରୁ ପାକ୍ ସେନାକୁ ବଡ଼ ଝଟକା

ଆଇଇଡି ବିସ୍ଫୋରଣରେ ୭ ଯବାନ ମୃତ

ନୂଆଦିଲ୍ଲୀ, ୦୬/୦୫: ପାକିସ୍ତାନରେ ବଡ଼ ଧରଣର ଅଘଟଣ ଘଟିଛି‌। ପାକ ସେନାକୁ ଲାଗିଛି ବଡ଼ ଝଟକା। ଆଗକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ଭାବନା ଥିବା ବେଳେ ପାକିସ୍ତାନର ସେନା ବାହିନୀକୁ ସହିବାକୁ ପଡିଛି ଅନେକ କ୍ଷତି।

ବେଲୁଚିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରଦେଶରେ ଆଇଇଡି ବିସ୍ଫୋରଣ ଘଟି ପାକ୍ ସେନାର ୭ ଜଣ ଯବାନ ସହିଦ ହୋଇଛନ୍ତି। ପାକିସ୍ତାନଠାରୁ ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼ୁଥିବା ବିଚ୍ଛିନ୍ନତାବାଦୀ ସଂଗଠନ ବାଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ପାକିସ୍ତାନ ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବେଲୁଚିସ୍ତାନ ଲିବରେସନ ଆର୍ମିର ଆତଙ୍କବାଦୀମାନେ କଚ୍ଛୀ ଜିଲ୍ଲାର ଜେନେରାଲ ଏରିଆ ମାଚରେ ସୁରକ୍ଷା ବାହିନୀର ଏକ ଗାଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଆତଙ୍କବାଦୀଙ୍କୁ ଖୋଜା ଚାଲିଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ପାକିସ୍ତାନର ସୁରକ୍ଷା ବାହିନୀ ବେଲୁଚିସ୍ତାନ ପ୍ରଦେଶରେ ଦୁଇଟି ପୃଥକ ଘଟଣାରେ ୧୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଅତୀତରେ ମଧ୍ୟ ବହୁ ଥର ଏଭଳି ଘଟଣା ଦେଖିବାକୁ ମିଳିଛି। ବେଲୁଚିସ୍ତାନ ବିଚ୍ଛିନ୍ନତାବାଦୀମାନେ ପାକ୍ ସେନା ଓ ନାଗରିକଙ୍କୁ ଟାର୍ଗେଟ କରିଛି। ନିକଟରେ ମାର୍ଚ୍ଚ ମାସରେ ୪୪୦ ଜଣ ଯାତ୍ରୀଙ୍କୁ ନେଇ  କ୍ୱେଟାରୁ ପେଶାୱାର ଅଭିମୁଖେ ଯାତ୍ରା କରୁଥିବା ଜାଫର ଏକ୍ସପ୍ରେସକୁ ବିଏଲଏ ବିଚ୍ଛିନ୍ନତାବାଦୀମାନେ ଅପହରଣ କରି ନେଇଥିଲେ, ଯେଉଁଥିରେ ୨୧ ଜଣ ସାଧାରଣ ନାଗରିକ ଏବଂ ୪ ଜଣ ସୈନିକ ପ୍ରାଣ ହରାଇଥିଲେ। ସେହିପରି ଗତ ନଭେମ୍ବର ୨୦୨୪ରେ କ୍ୱେଟା ରେଳ ଷ୍ଟେସନରେ ଆତ୍ମଘାତୀ ବିସ୍ଫୋରଣ କରିଥିଲା ବିଏଲଏ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬୨ ଜଣ ଆହତ ହୋଇଥିଲେ।