ଶେହନାଜ୍‌ଙ୍କୁ ମିଳିଲା ୨ଟି ବଡ ବ୍ରେକ୍‌

ମୁମ୍ଵାଇ ୦୪।୦୯: ଗୋଟିଏ ନୁହେଁ, ଦୁଇ ଦୁଇଟି ବିଗ୍‌-ଟିକେଟ୍‌ ବଲିଉଡ୍‌ ଫିଲ୍ମରେ ନଜର ଆସିବେ ‘ବିଗ୍‌ ବସ୍‌-୧୩’ ଫେମ୍‌ ଶେହନାଜ୍‌ ଗିଲ୍‌ । ଫିଲ୍ମ ‘କିସି କା ଭାଇ, କିସି କି ଜାନ୍‌’ରେ ସଲମାନ ଖାନ୍‌ଙ୍କ ସହ ସେ ପ୍ରଥମ ଥର ସ୍କ୍ରିନ୍‌ ସେୟାର କରିବେ । ଆଉ ଏକ ପ୍ରୋଜେକ୍ଟରେ ଜନ୍‌ ଆବ୍ରାହମ୍‌, ରିତେଶ ଦେଶମୁଖ ଓ ନୋରା ଫତେହିଙ୍କ ସହ ତାଙ୍କୁ ଦେଖିବାକୁ ପାଇବେ ସିନେପ୍ରେମୀ । ନିକଟରେ ମୁମ୍ବାଇରେ ଆୟୋଜିତ ଫିଲ୍ମଫେୟାର ଆୱାର୍ଡସରେ ରେଡ୍‌ କାର୍ପେଟ୍‌ରେ ନଜର ଆସିଥିଲେ ଶେହନାଜ୍‌ ।

ଏ ଅବସରରେ ଏକ ଗଣମାଧ୍ୟମକୁ ସେ କହିଥିଲେ, ପୂର୍ବରୁ ଲୋକେ ତାଙ୍କର ମଜା ଉଡ଼ାଉଥିଲେ । ଏବେ ତାଙ୍କ କାମକୁ ପ୍ରଶଂସା କରୁଛନ୍ତି। ସମୟ ପରିବର୍ତ୍ତନ ହୁଏ । ସମସ୍ତେ ନିଜର ଭାଗ୍ୟ ନେଇ ଆସିଥାନ୍ତି ଏବଂ ସେମାନଙ୍କ ହିସାବରେ ସମୟ ବଦଳିଯାଏ । ତେଣୁ କାହା ଉପରେ କଦାପି ଟିପ୍ପଣୀ ଦିଅନାହିଁ କିମ୍ବା ସେମାନଙ୍କ ବିଷୟରେ ନକାରାତ୍ମକ କମେଣ୍ଟ ଦିଅନାହିଁ । ଏହା ତୁମ ଉପରକୁ ଫେରିପାରେ ।’ ଖୁବ୍‌ଶୀଘ୍ର ବଲିଉଡ୍‌ରେ ପାଦ ଥାପିବା ବିଷୟରେ ଶେହନାଜ୍‌ କହିଛନ୍ତି ‘ଏବେ ମୁଁ ଏହି ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଛି ଏବଂ ଏଠାରେ ରହିବାକୁ ଚାହୁଁଛି । ମୋ ମତରେ, ବ୍ୟକ୍ତି ସର୍ବଦା ପ୍ରାକୃତିକ ରହିବା ଉଚିତ । ଯଦି ତୁମେ ପ୍ରାକୃତିକ ଓ ନିଷ୍ଠାବାନ ରହିବ, ଲୋକେ ତୁମ ସହ କାମ କରିବେ । ୨ଟି ଅପ୍‌କମିଙ୍ଗ ଫିଲ୍ମ ବିଷୟରେ ସେ କହିଛନ୍ତି ‘ସଲମାନ ଖାନ୍‌ ଜଣେ ବଡ଼ ଷ୍ଟାର୍‌ । ସେ ମୋତେ ଏହି ସୁଯୋଗ ଦେଇଛନ୍ତି । ସେ ମୋ ପାଇଁ ଦ୍ୱାର ଖୋଲି ଦେଇଛନ୍ତି ।