ପାକିସ୍ତାନ ଆରମ୍ଭ କରିଥିବା ଖେଳକୁ ଖତମ କରିବା ଲକ୍ଷ୍ୟରେ ଭାରତ
ପାକିସ୍ତାନର ୱେବସିରିଜ ଓ ସିନେମା ଭାରତରେ ବ୍ୟାନ। ରାୱଲପିଣ୍ଡି ଷ୍ଟାଡିୟମରେ ଭାରତର ଡ୍ରୋନ ଆକ୍ରମଣ।
ଭାରତର ଆକ୍ରମଣର ଗର୍ଜନରେ ଥରୁଛି ପାକିସ୍ତାନ
ନୂଆଦିଲ୍ଲୀ, ୦୮/୦୫: ଭାରତର ଆକ୍ରମଣ ଗର୍ଜନରେ ଥରି ଉଠୁଛି ପାକିସ୍ତାନ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧର ନିଆଁରେ ଜଳୁଛି ଭାରତ। ତୁହାକୁ ତୁହା ପାକିସ୍ତାନ ଉପରେ କରୁଛି ଆକ୍ରମଣ। ଆକ୍ରମଣରେ ପାକିସ୍ତାନ ବାସୀଙ୍କ ନିଦ ହଜାଇ ଦେଇଛି ଭାରତ। ପାକିସ୍ତାନ ଆରମ୍ଭ କରିଥିବା ଖେଳକୁ ଶେଷ କରିବା ଲକ୍ଷ୍ୟରେ ଭାରତ। ଆତଙ୍କବାଦୀଙ୍କ ଗଡ଼ ଧ୍ୱଂସ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ।
ଗତ ୭ ତାରିଖ ମଧ୍ୟରାତ୍ରିରେ ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଦୂର’ ଏବେ ବି ଜାରି ରଖିଛି ଭାରତ। ଖୁବ୍ ଶୀଘ୍ର ଆରମ୍ଭ ହେବ ଅପରେସନ ସିନ୍ଦୂର’ ୨.୦। ଭାରତର ଆକ୍ରମଣ ଦେଖି ଆଖିବୁଜା ଗୁଳି ବର୍ଷଣ କରୁଛି ପାକିସ୍ତାନ। କିନ୍ତୁ ଭାରତ ତାକୁ ଖାତିର ନ କରି ପାକିସ୍ତାନର ସବୁ ଆକ୍ରମଣ ଯୋଜନାକୁ ପଣ୍ଡ କରି ଦେଉଛି। ଭାରତର ଆକ୍ରମଣରେ ୧୦୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀଙ୍କ ଜୀବନ ଯାଇଛି।
ବିଚଳିତ ହୋଇ ପାକିସ୍ତାନ ଭାରତର ଏଲଓସି ନିକଟରେ ପୁଞ୍ଚ ଜିଲ୍ଲାରେ ଥିବା ଗୁରୁଦ୍ୱାର ଉପରକୁ ଗୁଳି ଚାଳନା କରିଥିଲା। ବୁଧବାର ମଧ୍ୟରାତ୍ରରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଉତ୍ତର ଏବଂ ପଶ୍ଚିମ ଭାରତର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନଲ୍, ଫଲୋଦି, ଉତ୍ତରଲାଇ ଏବଂ ଭୁଜ ସମେତ ଅନେକ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ ଭାରତର ଆକ୍ରମଣ ପାକିସ୍ତାନର ଯୋଜନାକୁ ବିଫଳ କରି ଦେଇଥିଲା। ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ଓ ରାଡାରକୁ ଧ୍ୱଂସ କରି ଦେଇଛି ଭାରତ।
ସେହିପରି ଗୁରୁବାର ପାକିସ୍ତାନର ରାୱଲପିଣ୍ଡି ଷ୍ଟାଡିୟମ ଉପରେ ଡ୍ରୋନ ଆକ୍ରମଣ କରିଥିଲା ଭାରତ। କିଛି ସମୟ ପରେ ଆରମ୍ଭ ହେବାକୁ ଥିବା ପାକିସ୍ତାନ ସୁପର ଲିଗକୁ ବାତିଲ କରିବାକୁ ପଡିଥିଲା ପାକିସ୍ତାନ କ୍ରିକେଟ ବୋର୍ଡକୁ। ଏପରିକି ଖେଳାଳୀଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଷ୍ଟାଡିୟମରୁ ଖେଳାଳିଙ୍କୁ ଫେରି ଯିବାକୁ ପଡ଼ିଥିଲା। ପାକିସ୍ତାନର ସବୁ ଡ୍ରୋନ ଓ ମିସାଇଲକୁ ଧ୍ୱଂସ କରିଥିଲା ଭାରତର ଏସ-୪୦୦ ସୁଦର୍ଶନ ଚକ୍ର।
କେବଳ ଏତିକି ନୁହେଁ, ଭାରତ ପାକିସ୍ତାନ ଉପରେ ଆହୁରି ଡିଜିଟାଲ ଷ୍ଟ୍ରାଇକ କରିଛି। ପାକିସ୍ତାନର ମନୋରଞ୍ଜନ ଧର୍ମୀ ବିଷୟବସ୍ତୁ ପ୍ରସାରଣ କରୁଥିବା ଓଟିଟି ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ପାକିସ୍ତାନର ୱେବସିରିଜ, ସିନେମା, ଗୀତ ଓ ପୋଡକାଷ୍ଟକୁ ହଟାଯାଇଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।